ଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଲା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ବିପୁଳ ଅର୍ଥ ଲୁଟି ଗିରଫ ହୋଇ ଜେଲରେ ଥିବା ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ୧୪ଦିନିଆ ବିଚାର ବିଭାଗୀୟ ହାଜତ ବୁଧବାର ସରିଛି। ତେବେ ଏହି ମାମଲାରେ କମିଶନରେଟ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇ ନ ଥିବାରୁ କୋର୍ଟ ଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଅର୍ଚ୍ଚନାଙ୍କୁ ଏବେ ଜେଲରେ ରହିବାକୁ ପଡ଼ିବ। ୧୬ଟି ଦଫାରେ ଛନ୍ଦି ହୋଇଥିବା ଅଭିଯୁକ୍ତା ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ସୋମବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରି ଦେଇଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ପୋଲିସର ତଦନ୍ତ ପ୍ରଭାବିତ ହୋଇଥିବା ଜଳଜଳ ଦିଶୁଛି। ଅର୍ଚ୍ଚନାଙ୍କ ମାୟାଜାଲରେ କେଉଁ ବଡ଼ ବଡ଼ ନେତା, ଅଫିସର, ବିଲ୍ଡର, ଚଳଚ୍ଚିତ୍ର ପ୍ରଯୋଜକ ଫସିଛନ୍ତି, କାହା ବଳରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏତେ କମ୍‌ ସମୟ ଭିତରେ ବିଶାଳ କଳା ସାମ୍ରାଜ୍ୟ ଛିଡ଼ା କରିଥିଲେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ହେଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଥିବାବେଳେ ପୋଲିସ ଅର୍ଚ୍ଚନାଙ୍କୁ ଜେରା କଲାନାହିଁ କିମ୍ବା ରିମାଣ୍ଡରେ ମଧ୍ୟ ଆଣିଲା ନାହିଁ। ତେଣୁ କମିଶନରେଟ ପୋଲିସର ଏଭଳି ଦୁର୍ବଳ ତଦନ୍ତ ପାଇଁ ବିଭିନ୍ନ ମହଲରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅର୍ଚ୍ଚନାଙ୍କୁ ନେଇ ରାଜନୈକିତ ବୟାନ ବାଜି କମୁନାହିଁ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଗଣମାଧ୍ୟମ ଜରିଆରେ କହିଛନ୍ତି, ଏହି ଘଟଣାରେ ୨୩ ବିଜେଡ଼ି ବିଧାୟକ ଓ ୪ ମନ୍ତ୍ରୀ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ କାହିଁକି ବିଦା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ସମସ୍ତଙ୍କୁ ବାହାର କରି ଆଉ ଥରେ ନିର୍ବାଚନର ସାମ୍ନା କରନ୍ତୁ ବୋଲି ଭକ୍ତ କହିଛନ୍ତି। ସେହିପରି ନିରପେକ୍ଷ ତଦନ୍ତ ଦାବିରେ ଏହି ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।