ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍ଙ୍କୁ ନେଇ ଏକ କମିଟି ଗଠନ କରି ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ ଜଣାଇବାକୁ କହି ଛନ୍ତି ସର୍ବୋଚ୍ଚ କୋର୍ଟ। ବ୍ୟୁରୋକ୍ରଟ୍ସଙ୍କୁ ନେଇ ଗଠିତ କମିଟି ରିପୋର୍ଟ ଉପରେ କୋର୍ଟ ଉକ୍ତ ରାୟ ପ୍ରଦାନ କରିଥିଲେ। ଜାନୁଆରୀ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏଜି ମସିହଙ୍କ ଏକ ଛୁଟିଦିନ ଖଣ୍ଡପୀଠ ମଧ୍ୟ ଆରାବଳିର ପରିଭାଷା ଦୃଷ୍ଟିରୁ ଯାଞ୍ଚ କରିବାକୁ ଆବଶ୍ୟକୀୟ ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ପୂର୍ବରୁ ଅନୁମୋଦିତ ପରିଭାଷା ଉପରେ ସ୍ପଷ୍ଟୀକରଣ ଆବଶ୍ୟକ, ଏବଂ ନଭେମ୍ବର ୨୦ ରାୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଉ। କୋର୍ଟ କେନ୍ଦ୍ର ଏବଂ ଚାରି ଆରାବଳି ରାଜ୍ୟ, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଏବଂ ହରିୟାଣାକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି, ଏହି ପ୍ରସଙ୍ଗରେ ସ୍ୱତଃପ୍ରବୃତ୍ତ ମାମଲାର ଜବାବ ମାଗିଛନ୍ତି।
ସୂଚନାଥାଉକି, ଆରାବଳି ସୁରକ୍ଷାକୁ ନେଇ ରାଜସ୍ଥାନରେ ଆନ୍ଦୋଳନ ତୀବ୍ର ହୋଇଥିଲା।