ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ଗତ ସୋମବାର କିଛି ଯୁବକ ଗଙ୍ଗା ନଦୀ ମଝିରେ ଏକ ଡ଼ଙ୍ଗା ଉପରେ ଇଫତାର୍ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ହୋଇଛି ଯେ, ଏହି ସମୟରେ ସେମାନେ ଚିକେନ ବିରିୟାନୀ ଖାଇବା ସହ ଖାଦ୍ୟର ଅବଶିଷ୍ଟାଂଶ ଏବଂ ହାଡ଼ଗୁଡ଼ିକୁ ପବିତ୍ର ଗଙ୍ଗା ନଦୀରେ ଫିଙ୍ଗିଥିଲେ। ଏହି ଦୃଶ୍ୟ ଭିଡିଓରେ କଏଦ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଙ୍ଗାର ପବିତ୍ରତା ନଷ୍ଟ ହୋଇଥିବା ଦର୍ଶାଇ ଅନେକ ସଂଗଠନ ଏହାକୁ ବିରୋଧ କରିଛନ୍ତି।
ଭାରତୀୟ ଜନତା ଯୁବ ମୋର୍ଚ୍ଚାର ମହାନଗର ସଭାପତି ରଜତ ଜୟସ୍ବାଲ ଏନେଇ କୋତୱାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଏହି କାର୍ଯ୍ୟ ଦ୍ୱାରା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି। ପୋଲିସ ଭିଡିଓର ଯାଞ୍ଚ କରିବା ପରେ ୧୪ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏସିପି ଧ୍ରୁବ ପ୍ରତାପ ସିଂହ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ ଧାରାରେ କେସ ଦାୟର ହୋଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।
ବାରାଣସୀ ନଗର ନିଗମ ମଧ୍ୟ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି। ନିଗମର ପିଆରଓ କହିଛନ୍ତି ଯେ, ଗଙ୍ଗା ନଦୀ ଏବଂ ଏହାର ଘାଟଗୁଡ଼ିକର ସ୍ବଚ୍ଛତା ତଥା ମର୍ଯ୍ୟାଦା ରକ୍ଷା କରିବା ପାଇଁ ସ୍ପଷ୍ଟ ନିୟମ ରହିଛି। ନଦୀ ଭିତରେ ଏଭଳି ଆମିଷ ଭୋଜନ କରିବା ସମ୍ପୂର୍ଣ୍ଣ ନିଷେଧ ଏବଂ ଆପତ୍ତିଜନକ। ଆଗାମୀ ଦିନରେ ଏଭଳି ଘଟଣା ରୋକିବା ପାଇଁ ନଜରଦାରୀ ବଢ଼ାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବାରାଣସୀରେ ଗଙ୍ଗା ନଦୀକୁ ଅତି ପବିତ୍ର ମାନୁଥିବା ବେଳେ ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।