ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା): ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ ୱିଣ୍ଡୋ କମିଟି (ଏସ୍ଡବ୍ଲ୍ୟୁସି) ବୈଠକରେ ୧୯୨.୪୧ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ମିଳିଛି। ଏଥିମଧ୍ୟରେ ରହିଛି ୯୯ ମେଗାୱାଟ୍ କ୍ଷମତା ବିଶିଷ୍ଟ ପବନ ଶକ୍ତି ପ୍ରକଳ୍ପ, ୯୧.୭୭ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ଏବଂ ୧.୬୪ ମେଗାୱାଟ କ୍ଷମତାର ଗୋଟିଏ ରୁଫ୍ ଟପ୍ ସୌରଶକ୍ତି ପ୍ରକଳ୍ପ।
ସୂଚନାଯୋଗ୍ୟ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୪୪୧.୭୯ ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୯୭୮୧.୪୭ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି। ଏହି ପୁଞ୍ଜି ନିବେଶ ପ୍ରସ୍ତାବଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି।