ଲୋଇସିଂହା ନିର୍ବାଚନ ମଣ୍ଡଳୀ ସମେତ ଜିଲାରେ ୧୦ଟି ସ୍କୁଲ ପ୍ରତିଷ୍ଠା ପାଇଁ ଅନୁମୋଦନ: ଧନ୍ୟବାଦ ଜଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଜିଲାପାଳ

ଲୋଇସିଂହା,୮ା୧(ସୁଶାନ୍ତ ବାରିକ): ରାଜ୍ୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଝାରମୁଣ୍ଡା ଆଞ୍ଚଳିକ ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ ଜିଲାସ୍ତରୀୟ ଭିସି କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଅଧ୍ୟକ୍ଷତା କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି, ଜିଲାପାଳ ଗୌରବ ଶିବାଜୀ ଇସଲୱାର, ଏଡିଏମ୍‌ ବିଜୟାନନ୍ଦ ସେଠୀ, ବିଡିଓ ଅକ୍ଷୟ ପାଣି ଉଦ୍ଦୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବଲାଙ୍ଗୀର ଏମ୍‌ପିଙ୍କ ପ୍ରତିନିଧି ବାଳକୃଷ୍ଣ ଧରୁଆ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ। ଲୋଇସିଂହା ନିର୍ବାଚନ ମଣ୍ଡଳୀର ଝାରମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆଗଲପୁର ବ୍ଲକ୍‌ ବକଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଅତିଥି ମହାଲିଙ୍ଗ କହିଛନ୍ତି, ଝାରମୁଣ୍ଡାରେ ପ୍ରଥମରୁ ଆଦର୍ଶ ବିଦ୍ୟାଳୟ ରହିଛି। ଏବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବା ଦ୍ୱାରା ବ୍ଲକର ୩୩ ଓ ୩୪ ନମ୍ବର ଜୋନ୍‌ ତଥା ବ୍ଲକରେ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ। ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ବଳରେ ଅଞ୍ଚଳରେ ଶିକ୍ଷାର ବୈପ୍ଲବିକ ପରିବର୍ତ୍ତ ଆଣିପାରିବା, ଲୋଇସିଂହା ନିର୍ବାଚନ ମଣ୍ଡଳୀ ସମେତ ଜିଲାରେ ୧୦ଟି ସ୍କୁଲ ପ୍ରତିଷ୍ଠା ପାଇଁ ଗଣଶିକ୍ଷାମନ୍ତ୍ରୀ ଅନୁମୋଦନ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ମନ୍ତ୍ରୀ ମହାଲିଙ୍ଗ। ଜିଲାପାଳ ଇସଲୱାର କହିଛନ୍ତି, ପ୍ରଥମ ପର୍ଯ୍ୟାରେ ଜିଲାକୁ ୧୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଅନୁମୋଦନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଉଛି।

Dharitri – The Largest & Most Trusted Odia Daily