ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ତେଣୁ ସରକାର ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ଦେଖି ଚାଷ କାର୍ଯ୍ୟ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେଣୁ ଆରଆଇଆଇଏସଆଇ(RIISE) ପ୍ରକଳ୍ପ ମାଧ୍ୟମରେ ଜଳବାୟୁ-ଅନୁକୂଳ କୃଷି ଉତ୍ପାଦନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରକଳ୍ପ ଗଞ୍ଜାମ ଜିଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ବେଳେ ତାହାର ସୁଫଳ ଚାଷୀମାନେ ନେଉଛନ୍ତି। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଜିଲାରେ କେମିତି ଚାଲିଛି ତାହାର ଅନୁଧ୍ୟାନ କରିବା ପାଇଁ ଗୁରୁବାର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ଏକ ଟିମ୍ ଭଞ୍ଜନଗର ଗସ୍ତରେ ଆସିଥିଲେ। ଟିମ୍ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଟିମ୍ ଅଧିକାରୀ ମାନେ ଜଳବାୟୁ-ଅନୁକୂଳ ଚାଷ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପ-ନିର୍ଦ୍ଦେଶକ ନୋଜମି ହସିମୋଟଙ୍କ ନେତୃତ୍ୱରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ
World Food Programme (WFP) ର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଅଂଚଳରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ରାଇଜ RIISE ପ୍ରକଳ୍ପ ଅଧୀନରେ ଗ୍ରହଣ କରାଯାଇଥିବା ଗ୍ରାମ ଗୁଡ଼ିକର ପ୍ରଦର୍ଶନ ସହିତ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେମାନେ RIISE ପ୍ରକଳ୍ପ ଅଧୀନରେ ଚାଲୁଥିବା ବିଭିନ୍ନ ଜଳବାୟୁ-ପ୍ରତିରୋଧୀ କୃଷି ପ୍ରଯୁକ୍ତିବିଦ୍ୟା ନିକଟରୁ ଅବଲୋକନ କରିଥିଲେ। ଅତିଥିମାନେ ଗ୍ରାମର ଚାଷୀ ଓ କୃଷିଜୀବୀ ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦ୍ୱାରା ଚାଷ କରାଯାଇଥିବା ଉନ୍ନତ ଫସଲ କିସମ, ବିବିଧ କୃଷି ପ୍ରଣାଳୀ ଏବଂ ଜଳବାୟୁ-ଅନୁକୂଳ କୃଷି ପଦ୍ଧତି ସମ୍ବନ୍ଧୀୟ ଅନୁଭବ ଓ ଲାଭ ସମ୍ପର୍କରେ ଅବଗତ ହୋଇଥିଲେ। ପରିଦର୍ଶକ ଦଳ ଏହି ପ୍ରକଳ୍ପ ମାଧ୍ୟମରେ ଜଳବାୟୁ-ପ୍ରତିରୋଧୀ ପ୍ରଣାଳୀର ସଫଳ ପ୍ରଦର୍ଶନ ଏବଂ କୃଷକ ମାନଙ୍କ ଜୀବିକାରେ ଦୃଶ୍ୟମାନ ସକାରାତ୍ମକ ପ୍ରଭାବ ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଚାଷୀମାନେ ପ୍ରକଳ୍ପ ଅଧୀନରେ ହେଉଥିବା କାର୍ଯ୍ୟକଳାପରୁ ପ୍ରାପ୍ତ ନିଜ ଅନୁଭବ, ସମସ୍ୟା ଓ ଲାଭ ସମ୍ପର୍କରେ ମତ ବିନିମୟ କରିଥିଲେ।
ଏହି କ୍ଷେତ୍ର ପରିଦର୍ଶନ ସମୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ହିମାଂଶୁ ବଳ , ରାଜଶ୍ରୀ ପୁରୋହିତ , ସୁଦେଷ୍ଣା ମାୟା ସେନ, ଶିବାଶିଷ ପଣ୍ଡା , ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ସୁତନୁ କୁମାର ଶତପଥୀ, ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ, ଡ ସିଦ୍ଧାର୍ଥ ରଣବିଜୁଲି, ଅନିତା ପାତ୍ର, ଜଗନ୍ନାଥପ୍ରସାଦ ବ୍ଲକ କୃଷି ଅଧିକାରୀ, ଇଫକୋ କିସାନର ସଂଘମିତ୍ରା ସ୍ୱାଇଁ, ରାକେଶ କୁମାର ସାହୁ, ରୁଦ୍ର ନାରାୟଣ ପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଏହି ଅଞ୍ଚଳର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଜଳବାୟୁ-ପ୍ରତିରୋଧୀ କୃଷି, ଫସଲ ବିବିଧତା ଏବଂ ସ୍ଥାୟୀ ଜୀବିକା ସୃଷ୍ଟିରେ ହେଉଥିବା ସହଯୋଗୀ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଗସ୍ତ ଶେଷରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଭବିଷ୍ୟତରେ ଏହି ପ୍ରକଳ୍ପ ଅଧୀନରେ କାର୍ଯ୍ୟକ୍ରମଗୁଡିକୁ ଅଧିକ ସୁଦୃଢ଼ କରିବା ଓ ଜିଲାରେ ଜଳବାୟୁ-ପ୍ରତିରୋଧୀ କୃଷି ପଦ୍ଧତିକୁ ବ୍ୟାପକ ଭାବରେ ପ୍ରସାର କରିବା ଉପରେ ଆଲୋଚନା କରାଯାଇଥିଲା।