ନୂଆଦିଲ୍ଲୀ,୭।୯: ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଆପଲ୍ର ରାଜସ୍ୱ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ୧୨ ମାସରେ ୧୩% ବୃଦ୍ଧି ପାଇ ୮ ବିଲିୟନ ଡଲାରରୁ ୯ ବିଲିୟନ ଡଲାରରେ ପହଞ୍ଚିଛି। ଏହି ବିକ୍ରିର ବଡ଼ ଅଂଶ ଆଇଫୋନରୁ ଆସିଥିବା ବେଳେ ମ୍ୟାକବୁକର ଚାହିଦା ମଧ୍ୟ ବୃଦ୍ଧି ପାଇଛି।
କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଆଇଫୋନ ଭାରତର ସ୍ମାର୍ଟଫୋନ ବଜାରର ୭% ଅଂଶ ହାସଲ କରିଛି। ଗତ ତିନି ବର୍ଷରେ ଆପଲ୍ର ରାଜସ୍ୱ ଭାରତରେ ୧.୫ ଗୁଣ ବୃଦ୍ଧି ପାଇଛି। ଏହା ସହ ଭାରତ ଆପଲ୍ର ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଠାରେ ପ୍ରତି ୫ଟି ଆଇଫୋନ ମଧ୍ୟରୁ ଗୋଟିଏ ଉତ୍ପାଦିତ ହେଉଛି। ତାମିଲନାଡୁ ଓ କର୍ଣ୍ଣାଟକରେ ନୂଆ ଫ୍ୟାକ୍ଟ୍ରି ସହ ଆପଲ୍ ୫ଟି କାରଖାନାରେ ଆଇଫୋନ ୧୭ର ଚାରୋଟି ମଡେଲ ଉତ୍ପାଦନ କରିବାକୁ ଯୋଜନା କରୁଛି।
ଆପଲ୍ ଭାରତରେ ରିଟେଲ ବିସ୍ତାର ଜାରି ରଖିଛି। ଗତ ସପ୍ତାହରେ ବେଙ୍ଗାଲୁରୁ ଓ ପୁଣେରେ ଦୁଇଟି ନୂଆ ଷ୍ଟୋର ଖୋଲିଛି। ୨୦୨୩ରେ ମୁମ୍ବାଇ ଓ ନୂଆଦିଲ୍ଲୀରେ ପ୍ରଥମ ଦୁଇଟି ଷ୍ଟୋର ଖୋଲିଥିବା ଆପଲ୍ ଆଗାମୀ ବର୍ଷ ନୋଏଡା ଓ ମୁମ୍ବାଇରେ ଆଉ ଦୁଇଟି ଷ୍ଟୋର ଖୋଲିବାକୁ ଯୋଜନା କରୁଛି।