ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଜରୁରୀ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୧୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ, ଆମେରିକାର ଜାତୀୟ ସୁରକ୍ଷା ଏବଂ ନୂତନ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ‘ଗୋଲ୍ଡେନ ଡୋମ’ର ସଫଳତା ପାଇଁ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ।

ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଆବଶ୍ୟକ। ଆମେ ନିର୍ମାଣ କରୁଥିବା ‘ଗୋଲ୍ଡେନ ଡୋମ’ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ।”

ତାଙ୍କ କହିବା ଅନୁସାରେ, ଯଦି ଗ୍ରୀନଲ୍ୟାଣ୍ଡ ଆମେରିକା ହାତରେ ରହେ, ତେବେ ନାଟୋ ଆହୁରି ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ହେବ। ଏହାଠାରୁ କମ୍ କିଛି ବି ଗ୍ରହଣଯୋଗ୍ୟ ନୁହେଁ।

ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ଏହାକୁ ନିୟନ୍ତ୍ରଣ ନକରେ, ତେବେ ରୁଷିଆ କିମ୍ବା ଚାଇନା ଏହାକୁ ଦଖଲ କରିନେବେ, ଯାହା ସେ କଦାପି ହେବାକୁ ଦେବେ ନାହିଁ।

ଟ୍ରମ୍ପଙ୍କ ଏହି ପୋଷ୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଉଚ୍ଚସ୍ତରୀୟ ପ୍ରତିନିଧିମାନେ ୱାଶିଂଟନରେ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ, ଡେନମାର୍କ ପ୍ରତିରକ୍ଷା ମନ୍ତ୍ରୀ ଟ୍ରୋଏଲ୍ସ ଲଣ୍ଡ ପୁଲସେନ କହିଛନ୍ତି ଯେ, ଡେନମାର୍କ ଆର୍କଟିକ ଅଞ୍ଚଳରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରୁଛି ଏବଂ ନାଟୋ ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ପାଇଁ ଆଲୋଚନା ଜାରି ରଖିଛି।

ରାଷ୍ଟ୍ରପତି ଟ୍ରମ୍ପ ଦୀର୍ଘ ଦିନ ଧରି ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଅଂଶ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭେନେଜୁଏଲାରେ ହୋଇଥିବା ଘଟଣାବଳୀ ପରେ ତାଙ୍କର ଏହି ଆଭିମୁଖ୍ୟ ଆହୁରି କଠୋର ହୋଇଥିବା ଜଣାପଡୁଛି। ଗ୍ରୀନଲ୍ୟାଣ୍ଡ ବର୍ତ୍ତମାନ ଡେନମାର୍କର ଏକ ସ୍ୱୟଂଶାସିତ ଅଞ୍ଚଳ।

Share