Categories: Home Leftଖେଳ

ଅନଓ୍ବର ଅଲୀ ୪ ମାସ ବାସନ୍ଦ

କୋଲକାତା,୧୧ା୯(ପି.ଟି.): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଚୁକ୍ତି ଉଲ୍ଲଂଘନ ମାମଲାରେ ଭାରତୀୟ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ୪ ମାସ ପାଇଁ ବାସନ୍ଦ କରାଯାଇଛି। ଏହା ସହିତ ଫୁଟବଲ କ୍ଲବ ମୋହନବାଗାନ ସୁପର ଜାଏଣ୍ଟ୍ସକୁ ୧୨.୯୦ କୋଟି ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ମିଳିଛି। ଏଆଇଏଫ୍‌ଏଫ୍‌ର ପ୍ଲେୟର୍ସ ଷ୍ଟାଟସ୍‌ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଏଫ୍‌ସିରୁ ଲୋନ୍‌ରେ ଆସି ମୋହନବାଗାନ ପକ୍ଷରୁ ଖେଳୁଥିଲେ ଅନଓ୍ବର। ଏହା ମଧ୍ୟରେ ଇଷ୍ଟ ବେଙ୍ଗଲ ପକ୍ଷରୁ ଏକ ଲୋଭନୀୟ ଅଫର ମିଳିବା ପରେ ୫ ବର୍ଷ ପାଇଁ ସେ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହାକୁ ବିରୋଧ କରି ମୋହନବାଗାନ ପ୍ଲେୟର୍ସ ଷ୍ଟାଟସ୍‌ କମିଟିର ଦ୍ୱାରସ୍ଥ ହୋଇଥିଲା। ଏହି ଆବେଦନର ବିଚାର କରି ଷ୍ଟାଟସ୍‌ କମିଟି ଅନଓ୍ବରଙ୍କୁ ସମସ୍ତ ପ୍ରକାର ପ୍ରଫେଶନାଲ ପ୍ରତିଯୋଗିତାରୁ ୪ ମାସ ପାଇଁ ବାସନ୍ଦ କରିଛି। ଏହା ସହିତ ଦିଲ୍ଲୀ ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ଉପରେ ୨୦୨୪-୨୫ ଓ ୨୦୨୫-୨୬ ସିଜନ ପାଇଁ ଖେଳାଳି ପଞ୍ଜୀକରଣ ଉପରେ ରୋକ ଲଗାଯାଇଛି।
ଅନଓ୍ବରଙ୍କୁ ଦିଲ୍ଲୀ ଏଫ୍‌ସିରୁ ୨ କୋଟି ଟଙ୍କା ଲୋନ୍‌ରେ ଆଣିଥିଲା ମୋହନବାଗାନ। ଚୁକ୍ତି ଖିଲାପ କରିଥିବା କାରଣରୁ ଅନଓ୍ବର ଅଲୀ, ଦିଲ୍ଲୀ ଏଫ୍‌ସି ଓ ଇଷ୍ଟ ବେଙ୍ଗଲକୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତି ଖିଲାପ ବାବଦରେ ୮.୪୦ କୋଟି, ଦିଲ୍ଲୀ ଏଫ୍‌ସି ନେଇଥିବା ୨ କୋଟି ଓ ଅନ୍ୟାନ୍ୟ କ୍ଷତି ବାବଦରେ ୨.୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୩ ବର୍ଷୀୟ ଅନଓ୍ବର ଅଲୀ ବିଗତ ସିଜନରେ ମୋହନବାଗାନକୁ ଚାମ୍ପିୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୬ ମ୍ୟାଚ୍‌ରୁ ସେ ୩ ଗୋଲ୍‌ ସ୍କୋର କରିଥିବା ବେଳେ ଗୋଟିଏ ଆସିଷ୍ଟ କରିଥିଲେ। ମୋହନବାଗାନରେ ଲୋନରେ ଥାଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ କ୍ଲବ ଇଷ୍ଟବେଙ୍ଗଲ ସହ ୫ ବର୍ଷିଆ ଚୁକ୍ତି କରିଥିଲେ ଅନଓ୍ବର। ଅନଓ୍ବରଙ୍କ ଏହି ବାସନ୍ଦାଦେଶ କେବଳ କ୍ଲବ ଗେମ୍‌ ପାଇଁ ଲାଗୁ ହେବ। ଏହି ସମୟରେ ସେ ଭାରତ ପାଇଁ ଖେଳିପାରିବେ ବୋଲି ଷ୍ଟାଟସ୍‌ କମିଟି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏଫ୍‌ସି ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।