ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ କିଛିଦିନର ନୀରବତା ପରେ ପୁଣି ଅସାମାଜିକ ତତ୍ତ୍ୱଙ୍କ ଆତଙ୍କରାଜ ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ମାଛ ଦୋକାନରେ କିଛି ଅସାମାଜିକ ଯୁବକ ପହଞ୍ଚି ସେଠାରେ ଥିବା ତିଳେଶ୍ୱର ଗ୍ରାମର ଜଣେ ଯୁବକଙ୍କୁ ୧ ହଜାର ଟଙ୍କା ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ମାଛ ଦୋକାନୀ ଗଣେଶ ବେହେରା ପ୍ରତିବାଦ କରିବାରୁ ସେମାନେ ସେଠାରୁ ପଳାଇଥିଲେ। ପୁଣି କିଛି ସମୟ ପରେ ୧୦ରୁ ଊଦ୍ଧର୍ବ ଅସାମାଜିକ ଯୁବକ ହାତରେ ହକିଷ୍ଟିକ୍, ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ଆସି ମାଛ ବ୍ୟବସାୟୀ ଏବଂ ପାଖରେ ଥିବା ଆଦି ପାଣିଗ୍ରାହୀଙ୍କୁ ନିସ୍ତୁକ ମାଡ଼ ମାରି ଚମ୍ପଟ ମାରିଥିଲେ। ଏନେଇ ଗଣେଶ ଥାନାରେ ଏତଲା ଦେଇଛନ୍ତି।
ଖବରପାଇ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ ବହୁ ସଂଖ୍ୟକ ସାମାଜିକ କର୍ମୀ ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ଭେଟି ସହରରେ ଆତଙ୍କ ସୃଷ୍ଟି କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ ଅତିଶୀଘ୍ର ଚିହ୍ନଟ କରି ସାବାଡ କରିବା ପାଇଁ କହିଥିବା ଜଣାଇଛନ୍ତି। ସେମାନେ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି, ଅତ୍ୟାଧୁନିକ ଲାଇଟ, ମୁକ୍ତାକାଶ ଜିମ ରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ, ପଥଚାରୀମାନେ ବସିବା ପାଇଁ ସିମେଣ୍ଟ ଚେୟାର ଗୁଡ଼ିକୁ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି।
ସହରର ହସ୍ପିଟାଲ ନିକଟରେ ଥିବା ସାହାଣୀ ସାହିର କିଛି ନିର୍ଦ୍ଧିଷ୍ଟ ଅସାମାଜିକ ଯୁବକ ଏସବୁ ସମାଜ ବିରୋଧୀ କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ଛାତ୍ରୀମାନେ କଲେଜ, ଟିୟୁସନ ଯିବା ଆସିବା ସମୟରେ ବିଭିନ୍ନ ଛକ ରେ ଆଡ୍ଡା ଜମାଇ ସେମାନଙ୍କୁ ଅଶ୍ଳିଳ ମନ୍ତବ୍ୟ ଦେଉଛନ୍ତି। ଯାତ୍ରୀ ଏବଂ ସେମାନଙ୍କ ଅଭିଭାବକ ବୃନ୍ଦ ଏଭଳି କାର୍ଯ୍ୟରେ ନିଜକୁ ଅସହାୟ ମନେ କରୁଛନ୍ତି। ଆବଶ୍ୟକ ପୋଲିସ ପାଟ୍ରୋଲିଂ ନ ଥିବାରୁ ସହରରେ ଗତ କିଛିଦିନ ହେଲା ଆଇନଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି। ବୁଧବାର ଏନେଇ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ବୈଠକ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିବା ଏନ୍ଏସି ଅଧ୍ୟକ୍ଷ ଜଣାଇଛନ୍ତି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।