ପୁଣି ଦାଦନ ଦୁଃଖ: କେରଳରେ କାମ କରୁଥିବାବେଳେ ସିଡ଼ିରୁ ଖସିପଡ଼ିଲେ ଓଡ଼ିଆ ଯୁବକ, ଆଉ ତା’ପରେ ଘଟିଗଲା…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ଯନ୍ତ୍ରଣା ବଢିବାରେ ଲାଗିଛି। ଗତ କିଛି ଦିନ ତଳେ ତାମିଲନାଡୁ ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ଉକ୍ତ ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବାବେଳେ ଏବେ ପୁଣି ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ କୃପାନ୍ତ ନାୟକ।
ପ୍ରକାଶ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ କୃପାନ୍ତ ତାଙ୍କ ସ୍ତ୍ରୀ, ଛୁଆ ପିଲାଙ୍କୁ ନେଇ ଦାଦନ ଖଟିବାକୁ କେରଳ ଯାଇଥିଲେ ସେଠାରେ ଏକ କନଷ୍ଟ୍ରକ୍ସନ କାର୍ଯ୍ୟରେ ରାଜମିସ୍ତ୍ରୀଙ୍କ ହେଲପର ଭାବେ କାର୍ଯ୍ୟ କରୁଥିଲେ ତେବେ ୨୧ ରେ ସେ କାମ କରୁଥିବା ବେଳେ ସିମେଣ୍ଟ ବସ୍ତା ମୁଣ୍ଡରେ ବୋହି ଏକ ସିଡ଼ି ଚଢିବା ବେଳେ ତାଙ୍କ ଗୋଡ଼ ଖସିଯିବା ସହ ଗୁରତର ଆହତ ହୋଇଥିଲେ। ମେରୁ ହାଡ଼ ଭାଙ୍ଗି ଯାଇଛି ବୋଲି ପରିବାର ଲୋକ କହିଛନ୍ତି ।
ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଚିକିତ୍ସା ରେ ଅର୍ଥ ବାଧକ ସାଜିବା ସହ ମୃତ କୃପାନ୍ତଙ୍କ ସାଥିରେ ଥିବା ତାଙ୍କ ସ୍ତ୍ରୀ ଓ ସାନ ଭାଇ ଡାକ୍ତରଙ୍କ ଭାଷା ବୁଝିବା କଷ୍ଟ ଯୋଗୁ ସେମାନେ ୨୨ରେ ଓଡିଶାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ଅଧିକା ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସେମାନେ ୨୪ରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ମୃତକଙ୍କ ସାନଭାଇ ପ୍ରଶାନ୍ତ କହିଥିଲେ। ସେ ଆହୁରି କହିଥିଲେ, ତାଙ୍କ ଭାଇଙ୍କୁ ଉତ୍ତମ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲା ବୋଲି କହିଥିଲେ। କଟକରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ନିଜ ଗାଁକୁ ଅଣାଯାଇଛି। ମଙ୍ଗଳବାର ସଂସ୍କାର କରାଯିବ ବୋଲି ମୃତକଙ୍କ ଭାଇ ପ୍ରଶାନ୍ତ କହିଛନ୍ତି।