ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ କାରଖାନାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ବାଂଲାଦେଶରେ ୨ ସପ୍ତାହ ମଧ୍ୟରେ ତୃତୀୟ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସୋମବାର ସନ୍ଧ୍ୟାରେ ଲବିବ ଗ୍ରୁପ୍ ଫ୍ୟାକ୍ଟ୍ରିର ସୁଲତାନା ସ୍ବେଟର୍ସ ଲିଃରେ ଏହି ଗୁଳିକାଣ୍ଡ ଘଟିଛି। ମୃତକ ବଜେନ୍ଦ୍ର ବିଶ୍ୱାସ (୪୨) ହୋଇଥିବାବେଳେ ତାଙ୍କୁ ଗୁଳି କରିଥବା ଅଭିଯୁକ୍ତ ନୋମାନ ମିଆ(୨୯) ବୋଲି ପୋଲିସ କହିଛି। ଉଭୟ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସହାୟକ ବାହିନୀରେ ନିଯୁକ୍ତ ହେବା ସହ ଉକ୍ତ କାରଖାନାର ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା। ସଶସ୍ତ୍ର ସୁରକ୍ଷା ଡ୍ୟୁଟି ପାଇଁ ସେମାନଙ୍କୁ ସରକାରଙ୍କ ତରଫରୁ ବନ୍ଧୁକ ମିଳିଥିଲା।
ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଉଭୟ ସୁରକ୍ଷା ଡ୍ୟୁଟିରେ ଥାଇ ଫ୍ୟାକ୍ଟ୍ରି ପରିସରରେ ଥିବା ଅନସାର ବାରାକରେ ରହୁଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସାରୁ ନୋମାନ ମିଆ ବିଶ୍ୱାସଙ୍କ ଉପରକୁ ଗୁଳି ଚଳାଇଥିଲେ। ବିଶ୍ୱାସଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁଙ୍କୁ ଆଲ୍ଲା ନିନ୍ଦା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ସହ ଜାଳିଦେଇଥିଲେ, ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ୬ ଦିନ ପରେ ଅମ୍ରିତ୍ ମଣ୍ଡଳ ନାମକ ଅନ୍ୟ ଜଣେ ହିନ୍ଦୁଙ୍କୁ ପିଟି ହତ୍ୟା କରାଯାଇଥିଲା। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହିଂସାକାଣ୍ଡ ବଢ଼ିଥିବାରୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାର ନିନ୍ଦା କରିଥିଲା। ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଭାରତ ଏବଂ ଅଧିକାର ସଂଗଠନଗୁଡ଼ିକ ଚିନ୍ତାବ୍ୟକ୍ତ କରିଥିବାବେଳେ ସୋମବାରର ହତ୍ୟାକାଣ୍ଡ ଏକ ଆପରାଧିକ କାର୍ଯ୍ୟ ବୋଲି ବାଂଲାଦେଶ କହିଛି। ସେଠାରେ ହିନ୍ଦୁମାନଙ୍କ ଘର ଜାଳିଦିଆଯାଉଛି। ବାଂଲାଦେଶ ସୀମାରେ ଅଶାନ୍ତ ସ୍ଥିତି ସାଙ୍ଗକୁ ବିକ୍ଷୋଭ ଜାରି ରହିଛି। ଢାକା ସମେତ ଚିଟ୍ଟାଗଙ୍ଗ ଓ ଅନ୍ୟାନ୍ୟ ସହରରେ ସଂଖ୍ୟାଲଘୁ ସଂଗଠନ ଓ ସିଭିଲ ସୋସାଇଟି ସଂଗଠନଗୁଡ଼ିକ ମିଳିତ ରାଲି କରି ସଂଖ୍ୟାଲଘୁଙ୍କ ପାଇଁ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି।