ହାଇପ୍ରୋଫାଇଲ ଠକ ଉଇଲିୟମଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା

ଦେବଗଡ,୨୧।୫(ଶଶାଙ୍କ ଶେଖର ଝାଙ୍କର):ନିଜକୁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଉଇଲିୟମ ହେନେଜ ବିରୋଧରେ ଆଜି ଦେବଗଡ ଥାନା ପୋଲିସ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଝାରସୁଗୁଡା ଜିଲା ବନ୍ଧବାହାଳ ଅଂଚଳର ଅଶ୍ୱିନ ମିଞ୍ଜଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଉଇଲିୟମ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗକାରୀ ଅଶ୍ୱିନଙ୍କ ଅଭିଯୋଗ ଅନୁଯାୟୀ, ଦେବଗଡ ସହରର ଉଇଲିୟମ ହେନେଜ ନିଜକୁ ଏଚଏଡିଟି ଜାତିସଂଘ ଓ ୟୁଏନ ହାବିଟେଟ, ଏପିଏଚଏସ, ୟୁନାଇଟେଡ ନେସନ ସଂସ୍ଥାର ୧୧ଟି ରାଜ୍ୟର ଜେନେରାଲ ସେକ୍ରେଟାରୀ ପରିଚୟ ଦେବା ସହ ଷ୍ଟର ଚେୟାରମ୍ୟାନ ସମେତ ବିଭିନ୍ନ ସଂସ୍ଥାର ବଡ ବଡ ପଦବୀରେ ଥିବା ଦର୍ଶାଇବା ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭଳି ବହୁ ବିଶିଷ୍ଟ ଲୋକଙ୍କ ସହିତ ଉଠାଇଥିବା ଫଟୋ ଦେଖାଇଥିଲା।

ସେହିପରି ଆଇଏସଅଫିସର ଓ ଆଇପିଏସ ଅଫିସରଙ୍କ ସମେତ କେଜିଏଫ ମାଇନିଂ ମାଲିକ ରବିଚନ୍ଦ୍ର ରାଜଙ୍କ ନାମ ନେଇ ଏନଏଚଏଆଇ, ପୋଲିସ ଚାକିରି, ସିଭିଲ ଲାଇସେନ୍ସ , ମଦ ବାର ଲାଇସେନ୍ସ, ରେଲଓ୍ବେ ଚାକିରି ଓ ପେଟ୍ରୋଲ ପମ୍ପ, ମାଇନିଂ ଟ୍ରାନ୍ସପୋର୍ଟିଂ ଓଏମ୍‌ସିରେ ଚାକିରି ଓ ଟ୍ରଷ୍ଟ ମାଧ୍ୟମରେ ସ୍କର୍ପିଓ ଓ ୧୬ ଚକିଆ ହାଇୱା କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲା । ଏହି କ୍ରମରେ ଉଇଲିୟମ ଏଚଏଡିତି ଜରିଆରେ ୨ଟି ହାଇୱା ଗାଡିର ରେଜଷ୍ଟ୍ରେସନ ଫି’ ବାବଦରେ ତାଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୨ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉଇଲିୟମଙ୍କ ଚରିତ୍ର ସମ୍ବନ୍ଧରେ ଜାଣିବାକୁ ପାଇବାପରେ ସେ ଉଇଲିୟମଙ୍କୁ ତଙ୍କା ଫେରସ ମାଗିବରୁ ଉଇଲିୟମ ନାନା ବାହାନା ଦେଖାଇ ରିଆମାଳ ବ୍ଲକ ଆଡସ ଗ୍ରାମ ପଂଚାୟତର ରମ୍ଭାପାଲି ଗ୍ରାମରେ ଏକ ମାଇନିଂ ଖୋଲାଯାଉଥିବା କହି ପ୍ରାୟ ୮/୯ ମାସ ହେଲାଦିନ ଗଡାଇ ଚାଲିଥିଲା।

ସେହିପରି ଦେଇଥିବା ଟଙ୍କା ମାଗିଲେ ଉଇଲିୟମ ତାଙ୍କୁ କାମ ହେଲେ କିମ୍ବା ନହେଲେ ଦେଇଥିବା ଟଙ୍କାର ଦୁଇଗୁଣା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲା । ମାତ୍ର ଅଦ୍ୟାବଧି ଅଶ୍ୱିନଙ୍କ କାମ ହୋଇନାହିଁ କି ଉଇଲିୟମଟଙ୍କା ମଧ୍ୟ ଫେରସ୍ତ କରିନାହିଁ । ଏଣେ ଟଙ୍କା ଫେରସ୍ତ ମାଗିଲେ ଉଇଲିୟମ ତାଙ୍କୁ ନାନା ଧମକ ଚମକ ଦେଉଛି । ଉଇଲିୟମ ବିଭିନ୍ନ ସାମୂହିକ ବୈଠକ ମାଧ୍ୟମରେ ଲୋକଙ୍କୁ ଠକି ଟଙ୍କା ଆଦାୟ କରୁଥିବା ବେଳେ ତାଙ୍କ ମଧ୍ୟରେ କମଲ ଲାକ୍ରା ମଧ୍ୟ ସାମିଲ ଥିବା ଅଭିଯୋଗକାରୀ ଅଶ୍ୱିନ ସୁନ୍ଦରଗଡ ଜିଲାର ଉଦିତ ମଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦେବଗଡ ଥାନାରେ ହସ୍ତଗତ ହେବାପରେ ଦେବଗଡ ଥାନା ପୋଲିସ ଜେଲରେ ଥିବା ଉଇଲିୟମ ବିରୋଧରେ ପୁଣି ଏକ ଠକେଇ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ଇତିମଧ୍ୟରେ ଉଇଲିୟମଙ୍କ ବିରୋଧରେ ଦେବଗଡ ଜିଲା ସମେତ , କନ୍ଧମାଳ ଜିଲା ଓ କୋରାପୁର ଜିଲାରେ ମୋଟ ୪ଟି ମାମଲା ରୁଜୁ ହୋଇ ସାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।