ମୁମ୍ବାଇ: ଏବେ ସେଲିବ୍ରିଟି ଛାଡ଼ପତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ତାଙ୍କ ବ୍ୟବସାୟୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସେମାନଙ୍କ ବିବାହରେ ଫାଟ ହେବାର ଗୁଜବ ବହୁତ ଦିନ ଧରି ଚାଲିଥିଲା କିନ୍ତୁ ଏବେ ସତ୍ୟତା ପ୍ରମାଣିତ ହୋଇଛି। ମୁମ୍ବାଇର ବାନ୍ଦ୍ରା କୋର୍ଟ ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ବ୍ୟବସାୟୀ ସୋହେଲ କାଥୁରିଆଙ୍କ ମଧ୍ୟରେ ଛାଡ଼ପତ୍ରକୁ ଅଫିସିଆଲି କରିଛନ୍ତି। ସେମାନଙ୍କ ବିବାହ ମାତ୍ର ୪ ବର୍ଷ ଚାଲିଥିଲା। ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି।
୨୦୨୨ରେ ବିବାହ ବନ୍ଧନରେ ଯୋଡ଼ି ହୋଇଥିଲେ ଏହି ଦମ୍ପତି। ୪ ଡିସେମ୍ବର ୨୦୨୨ରେ ବ୍ୟବସାୟୀ ସୋହେଲଙ୍କୁ ବହୁ ଆଡ଼ମ୍ବରରେ ବିବାହ କରିଥିଲେ ହଂସିକା। କିନ୍ତୁ ସେମାନଙ୍କ ବିବାହ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିଲା ନାହିଁ। ତିନି ବର୍ଷ ପରେ ସେମାନଙ୍କ ବିବାହରେ ଅଶାନ୍ତିର ଖବର ଚର୍ଚ୍ଚା ହେଉଥିଲା।
ଏହା ସୋହେଲଙ୍କର ହଂସିକାଙ୍କ ସହିତ ଦ୍ୱିତୀୟ ବିବାହ ଥିଲା। ସେ ପୂର୍ବରୁ ହଂସିକାଙ୍କ ସବୁଠାରୁ ଭଲ ବନ୍ଧୁ ରିଙ୍କି ବଜାଜଙ୍କୁ ବିବାହ କରିଥିଲେ। ତଥାପି ସୋହେଲ ଏବଂ ହଂସିକାଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଗତ ଦୁଇ ବର୍ଷ ଧରି ସେମାନଙ୍କ ବିବାହରେ ସମସ୍ୟା ଲାଗି ରହିଥିଲା।
ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଜୁଲାଇ ୨୦୨୪ରୁ ଦୁହେଁ ଅଲଗା ରହୁଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କ ପରିବାର ସେମାନଙ୍କ ବିବାହକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଶେଷରେ ସେମାନେ ଛାଡ଼ପତ୍ର ଦେଇଥିଲେ। ଏହି ଛାଡ଼ପତ୍ର ପାରସ୍ପରିକ ସହମତିରେ ଚୂଡ଼ାନ୍ତ ହୋଇଛି।
ହଂସିକା ଛାଡ଼ପତ୍ର ସମୟରେ ତାଙ୍କ ଭରଣପୋଷଣ ପାଇଁ କୌଣସି ଦାବି କରି ନ ଥିଲେ। କୋର୍ଟ ଶୁଣାଣି ସମୟରେ ମୋଟଓ୍ବାନିଙ୍କ ଓକିଲ୍ ଅଦନାନ ଶେଖ କହିଥିଲେ ଯେ, ବିବାହ ପରେ ଦମ୍ପତି କିଛି ସମୟ ପାଇଁ ଏକାଠି ରହିଥିଲେ।
କିନ୍ତୁ ଧିରେ ଧିରେ, ସେମାନେ ଅନୁଭବ କଲେ ଯେ, ସେମାନଙ୍କ ସ୍ବଭାବ, ଚିନ୍ତାଧାରା ଏବଂ ଜୀବନଶୈଳୀରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଥିଲା। ଯାହା ଫଳରେ ଝଗଡ଼ା ହେଉଥିଲା। ଯାହାକି ଗୋଟିଏ ଛାତ ତଳେ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
ଶିଶୁ କଳାକାର ଭାବରେ କ୍ୟାରିଅର ଆରମ୍ଭ କରି ହଂସିକା ବେଶ୍ ପ୍ରଶଂସା ସାଉଁଟିଥିଲେ। ସେ ଟିଭି ଧାରାବାହିକ ‘ଶା କା ଲା କା ବୁମ୍ ବୁମ୍’ରେ ବେଶ୍ ପରିଚିତି ଲାଭ କରିଥିଲେ। ଏହା ପରେ ସେ ହ୍ରିତିକ ରୋଶନଙ୍କ ‘କୋଇ ମିଲ ଗୟା’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ପରେ ୨୦୦୭ରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଦେଶାମୁଦୁରୁ’ ସହିତ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଆଲୁ ଅର୍ଜୁନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ଏହି ଚଳଚ୍ଚିତ୍ର ପାଇଁ ହଂସିକାଙ୍କୁ ଦକ୍ଷିଣରେ ସର୍ବୋତ୍ତମ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା। ଏହା ପରେ ସେ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ହିମେଶ ରେଶମିଆଙ୍କ ସହିତ ‘ଆପକା ସୁରୁର’ ଚଳଚ୍ଚିତ୍ର ସହିତ ହଂସିକା ବଲିଉଡ୍ରେ ପରିଚିତି ପାଇଥିଲେ।