ISL Trophy during the final of the Indian Super League ( ISL ) between ATK FC and Chennaiyin FC held at the Jawaharlal Nehru Stadium, Goa, India on the 14th March 2020. Photo by: Faheem Hussain / SPORTZPICS for ISL
ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି ହାଇ ପ୍ରୋଫାଇଲ ଫୁଟବଲ ଇଭେଣ୍ଟର ଉଦ୍ଘାଟନୀ ମ୍ୟାଚ ଏଟିକେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫସି ୨୩ ତାରିଖରେ ଏହାର ପ୍ରଥମ ମ୍ୟାଚ ଗୋଆ ବାମ୍ବୋଲିମ୍ସ୍ଥିତ ଜିଏମ୍ସି ଷ୍ଟାଡିୟମରେ ହାଇଦ୍ରାବାଦ୍ ଏଫ୍ସି ସହିତ ଖେଳିବ। ପରେ ଏହି ଦଳ ୨୯ରେ ଜାମସେଦପୁର, ଡିସେମ୍ବର ୩ରେ ଏଟିକେ ମୋହନ ବାଗାନ, ୬ରେ ମୁମ୍ବାଇ ସିଟି ଏଫ୍ସି, ୧୨ରେ ଏଫ୍ସି ଗୋଆ, ୧୭ରେ ବେଙ୍ଗାଲୁରୁ ଏଫ୍ସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ, ଜାନୁୟାରୀ ୩ରେ ଏସ୍ସି ଇଷ୍ଟବେଙ୍ଗଲ, ୭ରେ କେରଳ ବ୍ଲାଷ୍ଟର୍ସ, ୧୦ରେ ଚେନ୍ନାଇନ୍ ଏଫ୍ସିକୁ ଭେଟିବ।
କୋଭିଡ-୧୯ ମହାମାରୀ ପାଇଁ ପ୍ରତିଯୋଗିତା ଏଥର ଗୋଆର ଜିଏମ୍ସି, ତିଳକ ମଇଦାନ ଏବଂ ଫତୋର୍ଦା ଷ୍ଟାଡିୟମରେ ରୁଦ୍ଧଦ୍ୱାର ମଧ୍ୟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଗତ ସିଜନରେ ଏଟିକେ ଫାଇନାଲରେ ଚେନ୍ନାଇନ୍ ଏଫ୍ସିକୁ ହରାଇ ଟାଇଟଲ ଜିତିଥିଲା। ସେହିପରି ଏଫ୍ସି ଗୋଆ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହି ଶିଲ୍ଡ ହାସଲ କରିବା ସହ ଏଏଫ୍ସି ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେବେଠାରୁ ଏଟିକେ ଆଇ-ଲିଗ୍ ଚାମ୍ପିୟନ ମୋହନବାଗାନ ସହିତ ମିଶି ଯାଇଛି। ଏବେ ଗୋଟିଏ କ୍ଲବଭାବେ ଆଇଏସ୍ଏଲ୍ ଖେଳିବାକୁ ଯାଉଛନ୍ତି।
ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ଏଟିକେ ମୋହନବାଗାନ, ବେଙ୍ଗାଲୁରୁ ଏଫ୍ସି, ଚେନ୍ନାଇନ୍ ଏଫ୍ସି, ଏଫ୍ସି ଗୋଆ, ହାଇଦ୍ରାବାଦ ଏଫ୍ସି, ଜାମସେଦପୁର ଏଫ୍ସି, କେରଳ ବ୍ଲାଷ୍ଟର୍ସ ଏଫ୍ସି, ମୁମ୍ବାଇ ସିଟି ଏଫ୍ସି, ନର୍ଥଇଷ୍ଟ ୟୁନାଇଟେଡ, ଓଡ଼ିଶା ଏଫସି ଓ ସ୍ପୋର୍ଟିଂ କ୍ଲବ ଇଷ୍ଟବେଙ୍ଗଲ। ଆୟୋଜକମାନେ ୨୦୨୧ ଜାନୁୟାରୀ ୧୧ ପର୍ଯ୍ୟନ୍ତ କେବଳ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଅବଶିଷ୍ଟ ପରେ ପ୍ରକାଶ ପାଇବ। କୋଲକାତାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଟିକେ ମୋହନ ବାଗାନ ଓ ଇଷ୍ଟବେଙ୍ଗଲ ମଧ୍ୟରେ ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରେ ଭାସ୍କୋସ୍ଥିତ ତିଳକ ମଇଦାନରେ ଅନୁଷ୍ଠିତ ହେବ। କୋଲକାତାଭିତ୍ତିକ ଶ୍ରୀ ସିମେଣ୍ଟ୍ସ ବଡ଼ ଅଂଶଧନ କିଣିଥିବାରୁ ଆଇ-ଲିଗ୍ର ଅନ୍ୟତମ ଶକ୍ତିଶାଳୀ ଦଳ ଇଷ୍ଟବେଙ୍ଗଲ ଏବେ ଏସ୍ସି ଇଷ୍ଟବେଙ୍ଗଲରେ ପରିଣତ ହୋଇଛି। ପ୍ରଥମଥରପାଇଁ ଏହି ଦଳ ଆଇଏସ୍ଏଲ ଖେଳିବାକୁ ଯାଉଛି। ଆୟୋଜକ ଏଫ୍ସି ଗୋଆ ଏହାର ପ୍ରଥମ ମ୍ୟାଚ ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଏଫସି ବିପକ୍ଷରେ ନଭେମ୍ବର ୨୨ରେ ଖେଳିବ।
ଚଳିତମାସ ପ୍ରାରମ୍ଭରେ ଗୋଆରେ ପହଞ୍ଚତ୍ବାପରେ ନର୍ଥଇଷ୍ଟ ୟୁନାଇଟେଡର ୭ ଖେଳାଳି ଓ ଜଣେ ସହକାରୀ କୋଚ୍ ଖାଲିଦ ଜାମିଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ପ୍ରତି ଦଳର ଖେଳାଳି ଓ ଅଫିସିଆଲମାନଙ୍କୁ ଭିନ୍ନଭିନ୍ନ ହୋଟେଲରେ ଜୈବ-ସୁରକ୍ଷିତ ପରିବେଶରେ ରଖାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ କରୋନା ସଂକ୍ରମିତ ହେଲେ ଯେପରି ତାହାର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ ଆରୋଗ୍ୟ ସେତୁ ଓ ଆଇଏସଏଲ ହେଲ୍ଥ ଆପ୍ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ ପଜିଟିଭ୍ ହେଲେ ସଙ୍ଗେସଙ୍ଗେ କ୍ୱାରାଣ୍ଟାଇନ୍ରେ ରଖାଯିବ ଏବଂ ୭ ଦିନ ମଧ୍ୟରେ ୩ ଥର ନେଗେଟିଭ୍ ରେଜଲ୍ଟ ଆସିଲେ ଯାଇ ଦଳକୁ ପ୍ରତ୍ୟାବର୍ତ୍ତନ ଅନୁମତି ମିଳିବ। ଗୋଆରେ ପହଞ୍ଚତ୍ବା ପୂର୍ବରୁ ସବୁ ଦଳକୁ କୋଭିଡ ଟେଷ୍ଟ କରାଇ ୩ ଥର ନେଗେଟିଭ୍ ଫଳାଫଳକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଗୋଆରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳି ଓ ଅଫିସିଆଲମାନେ ୧୦ ଦିନ ଏବଂ ବିଦେଶୀମାନେ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିଥିଲେ। ଏହି ସମୟ ମଧ୍ୟରେ ସମସ୍ତଙ୍କର ୫ ଥର କୋଭିଡ୍ ଟେଷ୍ଟ କରାଯାଇଥିଲା।