ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ ଧମକ ଦେଇଛନ୍ତି। ଏହା ତାଙ୍କର ଶେଷ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧିଠାରେ ଖବରଦାତାମାନଙ୍କୁ ଆନ୍ନା କହିଥିଲେ, ୩ ବର୍ଷ ହେଲା ସେ ଚାଷୀଙ୍କ ପାଇଁ ଅନେକ ଥର ବିକ୍ଷୋଭ କରିଛନ୍ତି। କିନ୍ତୁ ସରକାର ଫାଙ୍କା ପ୍ରତିଶ୍ରୁତି ଦେବା ବ୍ୟତୀତ ଅନ୍ୟ କିଛି କରିନାହାନ୍ତି। ସେଥିପାଇଁ ସରକାରଙ୍କ ଉପରୁ ତାଙ୍କର ଆସ୍ଥା ତୁଟିଗଲାଣି। ଏଥର ସେମାନେ ମାସେ ସମୟ ଚାହିଁଥିଲେ। ତେଣୁ ଜାନୁୟାରୀ ଶେଷ ସୁଦ୍ଧା ଯଦି ସେମାନେ ଦାବି ପୂରଣ ନ କରନ୍ତି, ତେବେ ସେ ଅନଶନ ଆରମ୍ଭ କରିବେ। ଡିସେମ୍ବର ୧୪ରେ ସେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ର ଲେଖି ଏମ୍‌.ଏସ୍‌. ସ୍ବାମୀନାଥନ୍‌ କମିଟିର ସୁପାରିସ କାର୍ଯ୍ୟକାରୀ କରିବା ସହ କୃଷିଜାତ ଦ୍ରବ୍ୟ ମୂଲ୍ୟ ନିର୍ଦ୍ଧାରଣରେ କମିଶନଙ୍କୁ ସ୍ବାଧୀନତା ଦେବା ଲାଗି ଦାବି କରିଥିଲେ। ଏହା ପୂରଣ ନ ହେଲେ ସେ ଅନଶନ କରିବେ ବୋଲି ସୂଚାଇ ଦେଇଥିଲେ।