ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ତଥା ଦେବଗଡ ବନାଞ୍ଚଚଳ(ଦେବଗଡ ଫରେଷ୍ଟ ସେକ୍ସନ) ଅନ୍ତର୍ଗତ ଦେଓଝରଣ ଗ୍ରାମ ନିକଟସ୍ଥ ଝାଡେଶ୍ୱର ପିଆରଏଫ (ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ)ମଧ୍ୟରେ ବଣ୍ୟଜନ୍ତୁ ଶିକାର ଉଦ୍ୟମବେଳେ ବନ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୨ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଓ ଗନ ପାଉଡର ମଧ୍ୟ ଜବତ କରିଥିବା ଜଣାପଡିଛି । ଗିରଫ ଶିକାରୀ ଦ୍ୱୟ ହେଲା ଦେଓଝରଣ ଗ୍ରାମର ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ ଓ ସେହି ଗ୍ରାମର ସ୍ବର୍ଗତ ଅରୁଣ ସାହୁଙ୍କ ପୁଅ ପ୍ରେମାନନ୍ଦ ସାହୁ ବୋଲି ଜଣାପଡିଛି ।
ମନୋଜ ଓ ପ୍ରେମାନନ୍ଦ ବନ୍ୟଜନ୍ତୁ ଶିକାର ପାଇଁ ଦେଓଝରଣ ଗ୍ରାମ ନିକଟସ୍ଥ ଝାଡେଶ୍ୱର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଏ ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ସଦଳବଳେ ଚଢଉ କରିବାସହ ଜଙ୍ଗଲ ମଧ୍ୟରୁ ତାଙ୍କୁ କାବୁ କରିବାସହ ସେମାନଙ୍କ ନିକଟରୁ ଉକ୍ତ ଗୁଳି ଭର୍ତ୍ତି ୨ଗୋଟି ଦେଶୀ ବନ୍ଧୁକ ଜବତ କରିଥିଲେ । ସେମାନଙ୍କୁ ବିଭାଗୀୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ସମୟରେ ସେମାନେ ଜନ୍ତୁ ଶିକାର ପାଇଁ ସେଠାକୁ ଯାଇଥିବା ସ୍ବୀକାର କରିଥିଲେ । ଫଳରେ ସେମାନଙ୍କୁ ବନ୍ୟପ୍ରାଣୀ ଆଇନର ବିଭାନ୍ନ ଦଫା ସମେତ ଆର୍ମ ଆକ୍ଟରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସେହିପରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ବନ ସଂରକ୍ଷିକା ସ୍ବାଧିନତା ସାହାଣୀ ସୂଚନା ଦେଇଛନ୍ତି।