ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଜୋତା ମାଡ଼: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିନ୍ଦା

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟ ପରିସରରେ ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ ଉପରେ ହୋଇଥିବା ଜୋତା ମାଡ଼ ଘଟଣାର ନିନ୍ଦା କରିଛନ୍ତି। ସୋମବାର ଏକ୍ସରେ ସେ ଲେଖିଛନ୍ତି, “ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ କ୍ଷୁବ୍ଧ କରିଛି। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ।”

ଘଟଣାରେ ଜଣେ ବୟସ୍କ ଓକିଲ ରାକେଶ କିଶୋର କୋର୍ଟ ଚାଲିଥିବା ବେଳେ ମୁଖ୍ୟ ବିଚାରପତିଙ୍କ ଆଡ଼କୁ ଜୋତା ଫିଙ୍ଗିଥିଲେ, ଯାହା ବେଞ୍ଚ ପାଖରେ ପହଞ୍ଚି ନଥିଲା। ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଧରି ବାହାରକୁ ନେଇଥିଲେ। ରାକେଶ “ସନାତନ ଧର୍ମର ଅପମାନ ସହିବୁ ନାହିଁ” ବୋଲି ଚିତ୍କାର କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ମୁଖ୍ୟ ବିଚାରପତି ଗଭାଇ ଶାନ୍ତ ରହି କୋର୍ଟ କାର୍ଯ୍ୟ ଜାରି ରଖିଥିଲେ ଓ ରାକେଶଙ୍କୁ ଚେତାବନୀ ଦେଇ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଦିଲ୍ଲୀ ପୋଲିସ ତାଙ୍କୁ ୩ ଘଣ୍ଟା ଜେରା ପରେ ଛାଡ଼ି ଦେଇଥିଲା, କାରଣ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାୟର ହୋଇନଥିଲା।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ରାକେଶଙ୍କୁ ତୁରନ୍ତ ନିଲମ୍ବିତ କରି କୌଣସି କୋର୍ଟରେ ଓକିଲାତି କରିବାକୁ ବାରଣ କରିଛି ଓ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବା ନୋଟିସ୍ ଜାରି କରିଛି। ଏହି ଘଟଣା ଗତ ମାସରେ ମଧ୍ୟପ୍ରଦେଶର ଖଜୁରାହୋରେ ବିଷ୍ଣୁ ମୂର୍ତ୍ତି ପୁନଃସ୍ଥାପନ ମାମଲାରେ ଗଭାଇଙ୍କ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବିବାଦ ପରେ ଘଟିଛି।

 

Dharitri — Odisha’s No.1 Trusted Odia Newspaper

Share