ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣର ୪ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଫଳରେ ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ କୋମଳମତି ଶିଶୁମାନେ ବସିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁସାରେ, ଲାଞ୍ଜିଗଡ଼ ସହର ୧ ନମ୍ବର ୱାର୍ଡ ମହାଦେବପଡ଼ା ଓ ପ୍ରଧାନୀପଡ଼ାରେ ୧୯୮୧ ମସିହାଠାରୁ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଲୋକଙ୍କ ଘର ବାରଣ୍ଡାରେ କେନ୍ଦ୍ର ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ୨୦୧୫ ମସିହାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା। ମନ୍ଥର କାମ ଯୋଗୁ ୨୦୨୧ ମସିହାରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କେନ୍ଦ୍ର ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ସ୍ଥାନ ବଦଳାଇଥିବା ପରେ ବର୍ତ୍ତମାନ ରାଜାରାଜୁଡା ଅମଳରୁ ରହିଥିବା ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଚାଲୁଛି।
ଏହି ବିଦ୍ୟାଳୟଟି ୧୮୯୧ ମସିହାରେ ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲର ସ୍ଥିତି ଠିକ୍ ନାହିଁ, ମଝିରେ ମଝିରେ କାଠ ଖଣ୍ଡ ଖସୁଛି। ଏଭଳି ବିପଦସଙ୍କୁଳ ଅବସ୍ଥାରେ ଶିଶୁମାନେ ବସିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ୪ବର୍ଷ ହେଲା ଶେଷ ହୋଇଥିଲେ ବି ସମ୍ପୃକ୍ତ ଠିକାଦାରଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାପ୍ୟ ମିଳିନାହିଁ। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଠିକାଦାର ଜଣକ ନୂତନ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲାଇ ଦେଇଛନ୍ତି। ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ, ବ୍ଲକ ଶିଶୁ ମଙ୍ଗଳ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ସିଡିପିଓ ନିରୂପମା ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।
Dharitri – Odisha’s No.1 Odia Daily