ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା – ଛଣମେରି ଗାଁ ରାସ୍ତାରେ ଥିବା ଶ୍ରୀ ଦୁର୍ଗା ଜୁଏଲର୍ସର ମାଲିକଙ୍କୁ ଗୁରୁବାର ଆନ୍ଧ୍ରପ୍ରଦେଶ କାଶୀବୁଗା ଥାନାର ସତନ୍ତ୍ର ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସୁନା ବ୍ୟବସାୟୀ ଜଣଙ୍କ ହେଲେ ଖଜୁରୀପଦା ଗାଁର ପବିତ୍ର ବିଷୋୟୀ। ଆନ୍ଧ୍ରପ୍ରଦେଶ କାଶୀବୁଗା ଥାନା ଇଲାକାରେ ସଂଗଠିତ ଏକାଧିକ ଛିନତାଇ ମାମଲାରେ ଦୁର୍ବୃତ୍ତମାନେ ଲୁଟି ନେଇଥିବା ସୁନା ଗହଣାକୁ ସମ୍ପୃକ୍ତ ଦୋକାନୀ କ୍ରୟ କରିଥିବା ଜଣାପଡିବା ପରେ ଆନ୍ଧ୍ର ପୋଲିସ ଜଣେ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମରେ ପହଞ୍ଚିଥିଲେ । ଅଭିଯୁକ୍ତ ଜଣଙ୍କ ସୁନା ଗହଣା ବିକ୍ରି କରିଥିବା ସୁନା ଦୋକାନକୁ ଚିହ୍ନଟ କରିବା ସହ ବ୍ୟବସାୟୀଙ୍କୁ ପୋଲିସ ଅଧିକାରୀଙ୍କୁ ଦେଖାଇଥିଲେ। ପୋଲିସ ସୁନା ବ୍ୟବସାୟୀଙ୍କୁ ଉଠାଇ ନେଇ ତଦନ୍ତ କରିଛି। ବିଳମ୍ବିତ ସନ୍ଧ୍ୟାରେ ଆନ୍ଧ୍ର ପୋଲିସ ବ୍ୟବସାୟୀଙ୍କୁ ନେଇ ଦିଗପହଣ୍ଡି ଥାନାରେ ପହଞ୍ଚିବା ସହ ଚିକିଟି ଏସଡିପିଓ ବିଶାମିତ୍ର ହରପାଲ , ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ସବିଶେଷ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।
\