ପୁଣି ମରାମତି ହେଲା ପଥରପଦା ପୋଲ

ପାଣିକୋଇଲି,୨୬।୩(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ପୋଲ ମରଣଯନ୍ତା ପାଲଟିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଖବର ପ୍ରକାଶ ପରେ ଜାତୀୟ ରାଜପଥ ପୋଟ୍ରୋଲିଂ ସବଇନ୍ସପେକ୍ଟର ଅଶୋକ ବଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଠିକାସଂସ୍ଥା ଓ ଯାଜପୁର ଏସପି ବିନୀତ୍‌ ଅଗ୍ରୱାଲଙ୍କୁ ଜଣାଇଥିଲେ। ଫଳରେ ବିଭାଗୀୟ ଅଧିକାରୀ ଗତ ୧୯ ତାରିଖରେ ଏହାକୁ ମରାମତି କରିଥିଲେ। ହେଲେ ନିମ୍ନମାନର କାର୍ଯ୍ୟଯୋଗୁ ଏକ ସପ୍ତାହ ମଧ୍ୟରେ ପିଚୁ ଉଠିଯାଇଛି। ଶନିବାର ଏକ ଉଚ୍ଚସ୍ତରୀୟ ମରାମତି ଦଳ ରାଜପଥ ପୋଟ୍ରୋଲିଙ୍ଗ ଅଫିସର ବଳଙ୍କ ଉପସ୍ଥିତିରେ ପୁଣି ମରାମତି କାର୍ଯ୍ୟ ଜାରି ରଖିଛିନ୍ତି। ଏହି ମରାମତି ଶେଷ ନା ପୁଣି ସମ ଅବସ୍ଥା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶଯେ, ୧୬ ନମ୍ବର ଜାତୀୟ ରାଜପଥରେ ୬ଲେନ କାମ ସରିବାର ନାଁ ଧରୁନି। ବୈଷୟିକ ଜ୍ଞାନ କୌଶଳର ଅଭାବ ଓ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣାର ଏହା ପ୍ରମୁଖ କାରଣ ସାଜିଛି। ପାଣିକୋଇଲି ଥାନାଠାରୁ ପଥରପଦା ସ୍କୁଲ ମଧ୍ୟରେ ଦୁଇଟି ନାଳ ଉପରେ ପୋଲ ରହିଛି। ୬ ଲେନ କାମ ବେଳେ ଏହି ପୋଲ ନିକଟରେ ଦୁଇଟି ପୋଲ କରାଯାଇ ତାକୁ ମିଶ୍ରଣ କରାଯାଇଥିଲା। ହେଲେ ଏହି ମିଶ୍ରଣ କାର୍ଯ୍ୟର ତ୍ରୁଟି ଯୋଗୁ ଏହା ବାରମ୍ବାର ଭାଙ୍ଗିଯିବା ଦେଖିବାକୁ ମିଳିଛି। ଦୁଇ ପୋଲ ମଝିରେ ବାରମ୍ବାର ଖାଲ ହେବା ଯୋଗୁ ଦୁର୍ଘଟଣା ଘଟୁଛି। କିଛି ଦିନ ତଳେ ଏହାର ମରାମତି ପାଇଁ ମାସେରୁ ଅଧିକ ସମୟ ପଥରପଦା ଗ୍ରାମ ନିକଟ ପୋଲକୁ ଉଭୟ ପାର୍ଶ୍ୱରେ ଅଧାରୁ ଅଧିକ ସିମେଣ୍ଟ୍‌ ବାରକେଟ ଦେଇ ବନ୍ଦ କରି ରଖାଯାଇ ମରାମତି କରାଯାଇଥିଲା। ଏହି ମରାମତି ସମୟରେ ୧୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିବା ସହ ଦୁର୍ଘଟଣାକୁ ନେଇ ରାସ୍ତାରୋକୋ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ମରାମତି ସରିବା ପରେ ଏହାକୁ ହଟାଯାଇଥିଲା। ହେଲେ ମରାମତିକୁ ସପ୍ତାହ ପୁରି ନ ଥିବାବେଳେ ଏହା ପୁର୍ବ ଅବସ୍ଥା ସୃଷ୍ଟି କରିଛି। ଦୁଇ ପୋଲ ମଝିରେ ଖାଲ ଓ ଲୁହାରଡ ବାହାରିଥିବାରୁ ବିଶେଷ କରି ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେବା ନଜିର ରହିଛି।