Categories: ମେଟ୍ରୋ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଜେରା

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍‌ ଟେଟେଙ୍କୁ ଜେରା କରାଯାଇଛି। ଏହାପୂର୍ବରୁ ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ଜେରା କରାଯାଇଥିଲା। ତେବେ ବାନ୍ଧବୀ ମନଜିତ୍‌ ତାଙ୍କ ବାପାଙ୍କ ସହ ପୂର୍ବାହ୍ନ ପ୍ରାୟ ୧୦ଟାରେ ଥାନାରେ ପହଞ୍ଚତ୍ବା ପରେ ପୋଲିସ ଅଧିକାରୀମାନେ ତାଙ୍କୁ ମାମଲା ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଥାନାରେ ମନଜିତ୍‌ଙ୍କ ସିଆର୍‌ପିସି ୧୬୧ରେ ଓ କୋର୍ଟରେ ସିଆର୍‌ପିସି ୧୬୪ରେ ବୟାନ ରେକର୍ଡ କରାଯାଇଛି। ତେବେ ତଦନ୍ତରୁ ପୋଲିସକୁ ମାମଲା ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ମିଳିଛି। ଆନନ୍ଦ ମୃତ୍ୟୁ ପୂର୍ବରୁ ପ୍ରାୟ ଦେଢ଼ ବର୍ଷ ଧରି ବାନ୍ଧବୀ ମନ୍‌ଜିତଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ସେମାନେ ଇନ୍‌ଫୋସିଟି ଅଞ୍ଚଳର ଏକ ଫ୍ଲାଟ୍‌ରେ ଏକାଠି ରହୁଥିଲେ। ସେଠାରେ ଆଉଏକ ରୁମରେ ମଧ୍ୟ ବୀରେନ୍ଦ୍ର ରହୁଥିଲେ। ଆନନ୍ଦଙ୍କର ଅନ୍ୟତ୍ର ବିବାହ ହୋଇଯିବାପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାହର ୧୦ ଦିନପରେ ଅର୍ଥାତ ଫେବୃୟାରୀ ୨୮ରେ ଆନନ୍ଦ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ମନଜିତଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଥିଲେ। ଏନେଇ ମନ୍‌ଜିତ ରାଜି ନ ହେବାରୁ ଆନନ୍ଦ ତାଙ୍କ ରୁମ୍‌ରେ ଶାଢ଼ୀ ଦ୍ୱାରା ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହି ସମୟରେ ମଧ୍ୟ ବୀରେନ୍ଦ୍ର ଅନ୍ୟଏକ ରୁମ୍‌ରେ ଥିଲେ। କମିଶନରେଟ ପୋଲିସ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ମାମଲା ସକ୍ରାନ୍ତରେ ଖୁଲାସା କରାଯିବ ସୂଚନା ମିଳିଛି। ଗତ ଫେବୃୟାରୀ ୨୮ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା ବନ୍ଧନ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।