ବାରିପଦା, ୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ଧକ୍କାରେ ଶନିବାର ରାତି ଦନ୍ତାହାତୀର ମୃତ୍ୟୁ ଘଟିଛି । ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳକ୍ରସିଂ ନିକଟରେ ଏକ ଦନ୍ତା ହାତୀକୁ ଧକ୍କା ଦେବା ଫଳରେ ହାତୀର ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ଦୁର୍ଘଟଣା ଘଟିବା ପରେ ଶାଲିମାର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇଛି । ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳକୁ ଆସି ପରେ ସାମ୍ବାଦିକଙ୍କ ମାଧ୍ୟମରେ ବେତନଟୀ ରେଞ୍ଜର ଅଫିସକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିବାବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବାବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା l ସାଢେ ଏଗାରଟା ସମୟରେ ପଶ୍ଚିମବଙ୍ଗ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଆଗ୍ରିଆ ରେଳ ଫାଟକଠାରେ ରେଳ ଧାରଣା ଅତିକ୍ରମ କରୁଥିବା ବିଶାଳ ଦନ୍ତାହାତୀକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଗୋଠଛଡା ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟିଥିବାବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା l ଖବରପାଇ ବାରିପଦା ବନଖଣ୍ଡର ଏସିଏଫ ଶେଖ ମେହେରବାନ ଅଲ୍ଲୀ, ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଥ ନାୟକ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l