ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଦିଗପହଣ୍ଡି ମେନ୍ ରୋଡ଼ରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀଙ୍କ ମା’ ସୁମିତ୍ରା ପାଣିଗ୍ରାହୀ(୬୯)। ଭୋର୍ ସମୟରେ ଫୁଲ ତୋଳିବା ପାଇଁ ବୃଦ୍ଧାଜଣଙ୍କ ଯାଉଥିବାବେଳେ ବ୍ରହ୍ମପୁରରୁ ଗଜପତି ଜିଲା ଅଡବା ଅଭିମୁଖେ ଯାଉଥିବା ବାଇକ ଚାଳକ ପ୍ରଫୁଲ୍ଲ ମାଝି(୨୧) ଏବଂ ବାଇକ ପଛରେ ବସିଥିବା ମିଟୁ ମାଝି(୧୯) ତାଙ୍କୁ ଦ୍ରୁତଗତିରେ ଆସି ଧକ୍କା ଦେଇ ରାସ୍ତା ଉପରେ ବାଇକ ସହ କଚାଡି ହୋଇ ପଡ଼ିଯାଇଥିଲେ। ସମସ୍ତ ଆହାତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହାତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧାଙ୍କ ପୁଅ ସିମାଞ୍ଚଳ ଏନେଇ ଏତଲା ଦେବା ପରେ ପୋଲିସ ଏକ ମକଦ୍ଦମା ରୁଜୁ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ପରେ ଘଟଣାସ୍ଥଳରୁ ଦୁର୍ଘଟଣାଗସ୍ତ ବାଇକକୁ ଜବତ କରାଯାଇଛି।