ଦାମ୍‌ କମାଇଲା ଅମୂଲ: ପନିରରୁ ନେଇ ଚକୋଲେଟ ଯାଏ, ସବୁକିଛି ହେଲା ଶସ୍ତା, ଜାଣନ୍ତୁ ରେଟ୍‌…

ଅହମଦାବାଦ,୨୦।୯: ଅମୂଲର ପ୍ୟାରେଣ୍ଟ କମ୍ପାନୀ ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (GCMMF) ଶନିବାର ବଡ଼ ଘୋଷଣା କରିଛି। କମ୍ପାନୀ ନିଜର ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଯାଉଛି। ଏହି ନିଷ୍ପତ୍ତି ନିକଟରେ ହୋଇଥିବା GST ସୁଧାରର ଲାଭ ସିଧାସଳଖ ଗ୍ରାହକଙ୍କୁ ପହଞ୍ଚାଇବା ପାଇଁ ନିଆଯାଇଛି। ନୂଆ ମୂଲ୍ୟ ୨୨ ସେପ୍ଟେମ୍ବର ୨୦୨୫ଠାରୁ ଲାଗୁ ହେବ। ଏଥିରେ ଘିଅ, ଲହୁଣୀ, ଆଇସକ୍ରିମ, ବେକେରୀ ଉତ୍ପାଦ ଓ ଫ୍ରୋଜେନ ସ୍ନାକ୍ସ ଆଦି ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି।
କମ୍ପାନୀ କହିଛି ଯେ ଏହି ମୂଲ୍ୟ ହ୍ରାସ ଘିଅ, ଲହୁଣୀ, ଆଇସକ୍ରିମ, ଚିଜ୍‌, ପନୀର, ଚକୋଲେଟ, ବେକେରୀ ଆଇଟମ, ଫ୍ରୋଜେନ ସ୍ନାକ୍ସ, କଣ୍ଡେନ୍ସଡ ମିଲ୍କ, ପିନଟ ସ୍ପ୍ରେଡ ଓ ମାଲ୍ଟ-ଭିତ୍ତିକ ପାନୀୟ ଭଳି ବିଭିନ୍ନ ଶ୍ରେଣୀରେ ଲାଗୁ ହେବ। ଅମୂଲର ମତ ଅନୁଯାୟୀ, ମୂଲ୍ୟ ହ୍ରାସ ହେତୁ ବିଶେଷକରି ଆଇସକ୍ରିମ, ଚିଜ ଓ  ଲହୁଣୀର  ବିକ୍ରି ବଢ଼ିବ।
୩୬ ଲକ୍ଷ କୃଷକଙ୍କ ମାଲିକାନାଧୀନ GCMMF ଆଶା କରୁଛି ଯେ ମୂଲ୍ୟ ହ୍ରାସ ହେତୁ ଉତ୍ପାଦର ଚାହିଦା ଓ ବିକ୍ରି ଦୁଇଟି ବଢ଼ିବ। ଏହା ପୂର୍ବରୁ ମଦର ଡେୟାରୀ ମଧ୍ୟ ନିଜ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲା, ଯାହା ୨୨ ସେପ୍ଟେମ୍ବରଠାରୁ ଲାଗୁ ହେବ। ମୂଲ୍ୟ ପ୍ରାୟ ୪୦ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି।
GCMMFର ମ୍ୟାନେଜିଂ ଡାଇରେକ୍ଟର ଜୟେନ ମେହେଟା ଗତ ୧୧ ସେପ୍ଟେମ୍ବରରେ କହିଥିଲେ ଯେ ତାଜା ପ୍ୟାକେଟ ଦୁଧ ଉପରେ GST ପୂର୍ବରୁ ହିଁ ଶୂନ ଥିବାରୁ ଏହାର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ।