ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ ତଳେ ଲଗାଯାଇଥିବା ଗୁଲମୋହର ଫୁଲଗଛ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ୧୯୭୬ରେ ଅମିତାଭ ଏହି ବାସଭବନକୁ ଆସିଥିଲେ। ସେବେଠାରୁ ଛୋଟ ଗୁଲମୋହର ଚାରା ରୋପଣ କରାଯାଇଥିଲା। ତେବେ ଏବେ ହୋଇଥିବା ପ୍ରବଳ ବର୍ଷାରେ ଗଛଟି ଉପୁଡ଼ି ଯାଇଛି। ଏହା ବିଗ୍‌ ବିଙ୍କୁ ବେଶ୍‌ ଭାବୁକ କରିଛି। ନିଜ ବ୍ଲଗ୍‌ରେ ସେ ଲେଖଛନ୍ତି ଯେ, ପିତା ହରିବଂଶ ରାୟ ବଚ୍ଚନଙ୍କ ଏକ କବିତାର ଏକ ଶବ୍ଦରୁ ବାସଭବନର ନାମ ପ୍ରତୀକ୍ଷା ରଖାଯାଇଥିଲା। ହରବଂଶ ରାୟଙ୍କ କବିତାର ପଂକ୍ତିରେ ଲେଖାଥିଲା, ‘ସ୍ବାଗତ ସବ୍‌କେ ଲିଏ ୟହାଁ ପର, ନେହିଁ କିସି କେ ଲିଏ ପ୍ରତୀକ୍ଷା’। ଏହି ପଂକ୍ତିର ଶେଷ ଶବ୍ଦରୁ ଅମିତାଭ ବାସଭବନର ନାମକରଣ କରିଥିଲେ। ବିଗ୍‌ ବିଙ୍କ ବ୍ଲଗ୍‌ ପଡ଼ି ବହୁ ପ୍ରଶଂସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି।