Categories: Home Leftଖେଳ

ଅମିତ ସ୍ବର୍ଣ୍ଣ, ଜଗନ୍ନାଥଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ନେପାଳର କାଠମାଣ୍ଡୁରେ ୫୫ତମ ଏସୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ଏବଂ ଫିଜିକ୍ସ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ବିଚାରକ ସୁମିତ୍ରା ତ୍ରୀପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ୪ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୭୦ କେଜି ଓଜନ ବର୍ଗରେ ବଲାଲ ଖାଁ ଓ ଅମିତ କୁମାର ଭୂୟାଁ, ୭୫ କେଜିରେ ଜଗନ୍ନାଥ ଖୁଣ୍ଟିଆ ଏବଂ ମେନ୍ସ ଫିଜିକ୍‌ ସ୍ପୋଟର୍‌ସରେ ପୁପୁନ ସ୍ବାଇଁ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଅମିତ ସ୍ବର୍ଣ୍ଣ ଏବଂ ଜଗନ୍ନାଥ ବ୍ରୋଞ୍ଜ ପଦକ ପାଇଛନ୍ତି। ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଲାଭ କରିବାରେ ଅମିତ ହେଉଛନ୍ତି ଓଡ଼ିଶାର ପ୍ରଥମ। ଶୁକ୍ରବାର ପ୍ରତ୍ୟାବର୍ତ୍ତନ କରିଥିବା ଓଡ଼ିଶା ପ୍ରତିଯୋଗିମାନଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, କାର୍ଯ୍ୟକାରୀ ଉପସଭାପତି ବାବୁଲି ସ୍ବାଇଁ, ଉପଦେଷ୍ଟା କମିଟି ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଏବଂ ଅନ୍ୟ କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଥିଲେ।