ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା, କହିଲେ ତାଙ୍କୁ ଉପଯୁକ୍ତ…

ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି ଯେ, କଂଗ୍ରେସ ଦଳ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ଉପଯୁକ୍ତ ପ୍ରାପ୍ୟ ସମ୍ମାନ ଦେଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାକୁ ଉଦ୍ଧୃତ କରି ଶାହା କହିଲେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟ ସମାପ୍ତ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସେତେବେଳର କଂଗ୍ରେସ ସରକାର ସର୍ଦ୍ଦାର ସାହେବଙ୍କୁ ତାଙ୍କର ପ୍ରାପ୍ୟ ସମ୍ମାନ ଦେଇ ନ ଥିଲେ। ସର୍ଦ୍ଦାର ସାହେବଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ୪୧ ବର୍ଷ ଲାଗିଥିଲା। ସେ କୃଷକଙ୍କ ଶୁଭେଚ୍ଛାକାରୀ ଥିଲେ। ନରେନ୍ଦ୍ର ମୋଦି ମଧ୍ୟ ଧାରା ୩୭୦ ହଟାଇ ସର୍ଦ୍ଦାର ସାହେବଙ୍କ କାର୍ଯ୍ୟ ସମାପ୍ତ କରିଛନ୍ତି।

ସେ କହିଥିଲେ, ସର୍ଦ୍ଦାର ପଟେଲ ସମସ୍ତ ୫୬୨ଟି ଗଡ଼ଜାତ ରାଜ୍ୟକୁ ଏକତ୍ର କରି ଏକ ଅଖଣ୍ଡ ଭାରତ ସୃଷ୍ଟି କରିଥିଲେ। ସ୍ବାଧୀନତା ପରେ, ବ୍ରିଟିଶମାନେ ଭାରତକୁ ୫୬୨ଟି ଗଡ଼ଜାତ ରାଜ୍ୟରେ ବିଭକ୍ତ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ଏବଂ ସ୍ବାଧୀନତା ପରେ ଭାରତର ମାନଚିତ୍ର ସୃଷ୍ଟିରେ ସର୍ଦ୍ଦାର ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ସର୍ଦ୍ଦାର ପଟେଲ ସାହେବଙ୍କ ସମ୍ମାନାର୍ଥେ ଏକତା ପାଇଁ ଦୌଡ଼ ଆୟୋଜନ କରୁଛୁ।

ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଶାହା ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ‘କୃତଜ୍ଞ ରାଷ୍ଟ୍ର ପକ୍ଷରୁ, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଜାତୀୟ ଏକତା, ଅଖଣ୍ଡତା ଏବଂ କୃଷକ ସଶକ୍ତିକରଣର ପ୍ରତୀକ। ସର୍ଦ୍ଦାର ସାହେବ ଗଡ଼ଜାତ ରାଜ୍ୟଗୁଡ଼ିକୁ ଏକତ୍ର କରି ଦେଶର ଏକତା ଏବଂ ସୁରକ୍ଷାକୁ ସୁଦୃଢ଼ କରିଥିଲେ ଏବଂ କୃଷକ, ପଛୁଆ ଏବଂ ଅବହେଳିତମାନଙ୍କୁ ସମବାୟ ସହିତ ଯୋଡ଼ି ଦେଶକୁ ଆତ୍ମନିଯୁକ୍ତି ଏବଂ ସ୍ବାବଲମ୍ବନ ଆଡ଼କୁ ନେଇଯାଇଥିଲେ। ସେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଦେଶର ବିକାଶର ଚାବିକାଠି କୃଷକମାନଙ୍କ ସମୃଦ୍ଧିରେ ନିହିତ। ସେ କୃଷକମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ।“

ମୁଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯିଏ ଜାତୀୟ ଏକତା, ଅଖଣ୍ଡତା ଏବଂ କୃଷକ ସଶକ୍ତିକରଣର ପ୍ରତୀକ।

Dharitri – Odisha’s No.1 Trusted Odia Daily

Share