ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଅନେକ ପ୍ରସଙ୍ଗରେ ଖୋଲାଖୋଲି କଥା କହିଛନ୍ତି। ସେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ, ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକରଙ୍କ ଇସ୍ତଫା ଏବଂ RSS ସହିତ ତାଙ୍କର ସମ୍ପର୍କ ଉପରେ ଖୋଲାଖୋଲି କଥା ହୋଇଥିଲେ।
ଅମିତ ଶାହା ୧୩୦ତମ ସଂଶୋଧନ ବିଲ ଉପରେ କହିଛନ୍ତି, ଯେତେବେଳେ ସମ୍ବିଧାନ ତିଆରି ହୋଇଥିଲା, ସେତେବେଳେ ସମ୍ବିଧାନ ପ୍ରଣେତାମାନେ ଏପରି ନିର୍ଲଜ୍ଜତାର କଳ୍ପନା ମଧ୍ୟ କରି ନ ଥିବେ ଯେ ଜଣେ ମୁଖ୍ୟମନ୍ତ୍ରୀ ଜେଲ ଯିବେ ଏବଂ ଜେଲରୁ ମୁଖ୍ୟମନ୍ତ୍ରୀ ରହିବେ। କୋର୍ଟ ମଧ୍ୟ ଆଇନର ଗମ୍ଭୀରତାକୁ ବୁଝନ୍ତି। ଯେତେବେଳେ କାହାକୁ ୩୦ ଦିନ ପରେ ଇସ୍ତଫା ଦେବାକୁ ପଡ଼େ, ତା’ପୂର୍ବରୁ କୋର୍ଟ ନିଷ୍ପତ୍ତି ନିଅନ୍ତି ଯେ ତାଙ୍କୁ ଜାମିନ ମିଳିବ କି ନାହିଁ।
ଶାହା ଆହୁରି କହିଛନ୍ତି,ନରେନ୍ଦ୍ର ମୋଦି ନିଜ ବିରୋଧରେ ଏକ ସାମ୍ବିଧାନିକ ସଂଶୋଧନ ଆଣିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଜେଲ ଯାଆନ୍ତି, ତେବେ ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିବ।
ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଚୟନକୁ ଆରଏସଏସ ସହିତ ଯୋଡିବା ବିଷୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ମୁଁ ଆରଏସଏସ ସହିତ ଜଡିତ। ଅଟଳ ବିହାରୀ ବାଜପେୟୀ, ଆଡଭାନୀ ଜୀ, ମୋଦି ଜୀ ମଧ୍ୟ ଆରଏସଏସ ସହିତ ଜଡିତ। ଦେଶ ଆମକୁ ବାଛିଛି କାରଣ ଆମେ ଆରଏସଏସରୁ ଅଛୁ? ଆରଏସଏସ ସହିତ ସମ୍ପର୍କ ରଖିବା କ’ଣ ଏକ ମାଇନସ୍ ପଏଣ୍ଟ ବୋଲି ଶାହା ପ୍ରଶ୍ନ କରିଛନ୍ତି।
ଜଗଦୀପ ଧନକରଙ୍କ ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି, ତିଳକୁ ତାଳ କରିବା ଉଚିତ୍ ନୁହେଁ। ସେ ଏକ ସାମ୍ବିଧାନିକ ପଦବୀରେ ଥିଲେ। ସେ ତାଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଇସ୍ତଫା ଦେଇଛନ୍ତି, ସେ ଭଲ କାମ କରୁଥିଲେ। ଦେଶରେ ଅନେକ ସକାରାତ୍ମକ କାହାଣୀ ଅଛି, ସବୁବେଳେ ଏପରି ଖବର ପଛରେ ଯିବା ଉଚିତ୍ ନୁହେଁ।