ବାସ୍କେଟ ବଲ୍‌ କୋଚ୍‌ ଭୂମିକାରେ ଆମୀର

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରଠାରୁ ଅଭିନେତା ଆମୀର ଖାନ୍‌ ଅଭିନୟରୁ ଦୂରେଇ ରହିଛନ୍ତି। ତେବେ ଖୁବ୍‌ଶୀଘ୍ର ତାଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରେ ଦେଖିବାକୁ ମିଳିବ। ୨୦୦୭ରେ ରିଲିଜ୍‌ ହୋଇଥିବା ଆମୀରଙ୍କ ‘ତାରେ ଜମିନ ପର’ ଫିଲ୍ମର ଏହା ହେଉଛି ସିକ୍ୱେଲ। ସୋମବାର ‘ସିତାରେ ଜମିନ ପର’ ଫିଲ୍ମକୁ ନେଇ ଏକ ନୂତନ ଅପ୍‌ଡେଟ ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ଟ୍ରେଲର ରିଲିଜ୍‌ ନେଇ ସେନ୍ସର ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି। ସେନ୍ସର ବୋର୍ଡ ‘ସିତାରେ ଜମିନ ପର’ ଫିଲ୍ମର ଟ୍ରେଲରକୁ ‘ୟୁଏ ୧୩+’ ରେଟିଂ ପ୍ରଦାନ କରିଛି। ମୋଟ ୩ ମିନିଟ ୨୯ ସେକେଣ୍ଡର ଏହି ଟ୍ରେଲରକୁ ଆସନ୍ତା ୧ ତାରିଖରେ ସିନେମାହଲ୍‌ଗୁଡ଼ିକରେ ଅଭିନେତା ଅଜୟ ଦେବଗନ୍‌ଙ୍କ ‘ରେଡ୍‌ ୨’ ଫିଲ୍ମର ରିଲିଜ୍‌ ବେଳେ ଜାରି କରାଯିବ। ତେବେ ଏହି ଫିଲ୍ମର ରିଲିଜ୍‌ ତାରିଖ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠିନାହିଁ। ଆର୍‌.ଏସ୍‌. ପ୍ରସନ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମୀରଙ୍କ ବିପକ୍ଷରେ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦେଶମୁଖ ନଜରକୁ ଆସିବେ। ରିପୋର୍ଟ ଅନୁଯାୟୀ, ଫିଲ୍ମରେ ଆମୀରଙ୍କୁ ଜଣେ ରାଗୀ ଏବଂ ନିଷ୍ଠୁର ବାସ୍କେଟବଲ୍‌ କୋଚ୍‌ଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ସମୟ କ୍ରମେ ତାଙ୍କ ଆଚରଣ ଓ ବ୍ୟବହାରରେ କିପରି ପରିବର୍ତ୍ତନ ଘଟୁଛି, ସେନେଇ ଫିଲ୍ମର କାହାଣୀ ପର୍ଯ୍ୟବସିତ।