ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରାଯାଇଛି।

ଦେଶରେ ପେଟ୍ରୋଲ, ଡିଜେଲର କୌଣସି ଅଭାବ ନାହିଁ। ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି। ରିଫାଇନାରୀଗୁଡ଼ିକ ମଧ୍ୟ ସର୍ବୋତ୍ତମ କ୍ଷମତାରେ ଚାଲୁଛି। ଆମର ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପାଖାପାଖି ୨୬ କୋଟି ଟନ୍‌ ରହିଛି। ତେଣୁ କେହି ପେଟ୍ରୋଲ କିମ୍ବା ଡିଜେଲ ପାଇଁ ଲମ୍ବା ଲାଇନ କରନ୍ତୁ ନାହିଁ। ପେଟ୍ରୋଲ କିମ୍ବା ଡିଜେଲ ଦାମ ବଢ଼ିନି, କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ ଲୋକଙ୍କୁ ସଚେତନ କରାଇଛନ୍ତି।

ସରକାରଙ୍କ ଧ୍ୟାନ ପାଇପ୍‌ ନ୍ୟାଚୁରାଲ ଗ୍ୟାସ୍‌ (PNG)କୁ ପ୍ରୋତ୍ସାହିତ କରିବା ଉପରେ ରହିଛି। ଏହା ପିଏନ୍‌ଜି ସଂଯୋଗର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଏହା ବ୍ୟତୀତ ଯେଉଁ ଗ୍ରାହକମାନେ PNG ବ୍ୟବହାର କରିବା ସତ୍ତ୍ୱେ ତାହା ବ୍ୟବହାର ନ କରି ଘରୋଇ ରନ୍ଧନ ଗ୍ୟାସ (ଏଲ୍‌ପିଜି) ବ୍ୟବହାର କରୁଛନ୍ତି ସେମାନଙ୍କର ଯୋଗାଣ ବନ୍ଦ କରାଯିବ। ସରକାର ଏହି ମର୍ମରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଗ୍ୟାସ ନେଟ୍‌ଓ୍ବର୍କକୁ ବଢ଼ାଇବା ଏବଂ ଗୋଟିଏ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା। ପଶ୍ଚିମ ଏସିଆରେ ଯୁଦ୍ଧ ସେଠାକାର ପ୍ରମୁଖ ଉତ୍ସରୁ ଯୋଗାଣକୁ ପ୍ରଭାବିତ କରିଛି। ଏଲପିଜି ଅଭାବକୁ ଦୂର କରିବା ପାଇଁ, ସରକାର ଘରୋଇ ଏବଂ ବାଣିଜି୍ୟକ ଗ୍ରାହକମାନଙ୍କୁ ପିଏନ୍‌ଜି ବାଛିବାକୁ ଉତ୍ସାହିତ କରୁଛନ୍ତି। ପିଏନ୍‌ଜି ଅଧିକ ସୁବିଧାଜନକ। ପିଏନ୍‌ଜି ନିରନ୍ତର ପାଇପ୍‌ଲାଇନ ମାଧ୍ୟମରେ ବର୍ଣ୍ଣରକୁ ଯୋଗାଣ କରାଯାଏ, ଯାହା ସିଲିଣ୍ଡର ବୁକିଂର ଆବଶ୍ୟକତାକୁ ଦୂର କରେ।

ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ, ଯଦି କୌଣସି ପରିବାର ପିଏନ୍‌ଜି ଉପଲବ୍ଧ ହେବା ପରେ ଗ୍ରହଣ କରନ୍ତି ନାହାନ୍ତି, ତେବେ ତିନି ମାସ ପରେ ଏଲ୍‌ପିଜି ଯୋଗାଣ ବନ୍ଦ କରିଦିଆଯିବ। ତଥାପି ଯେଉଁଠାରେ ପାଇପ ସଂଯୋଗ ସମ୍ଭବ ନୁହେଁ, ସେଠାରେ ନୋ ଅବଜେକ୍ସନ ସାର୍ଟିଫିକେଟ୍‌ (NOC) ଆଧାରରେ ଏଲ୍‌ପିଜି ଯୋଗାଣ ଜାରି ରହିପାରିବ।

Dharitri – Odisha’s No.1 Odia Daily

Share