ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ ଭାରତ ଏକ ପ୍ରତିଶୋଧମୂଳକ ପଦକ୍ଷେପ ନେଇ ଋଷ ନେତୃତ୍ୱାଧୀନ ୟୁରେସିଆନ ଅର୍ଥନୈତିକ ସଂଘ (EAEU) ସହିତ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ କରିଛି।
ବୁଧବାର ମସ୍କୋରେ ଭାରତ ଏବଂ EAEU ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ପାଇଁ ସନ୍ଦର୍ଭର ସର୍ତ୍ତାବଳୀ ସ୍ବାକ୍ଷରିତ ହୋଇଥିଲା। ଭାରତ ପକ୍ଷରୁ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଅଜୟ ଭାଦୁ ଏବଂ EECର ବାଣିଜ୍ୟ ଏବଂ ନୀତି ବିଭାଗର ଉପ ନିର୍ଦ୍ଦେଶକ ମିଖାଏଲ ଚେରେନକୋଭ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଏହି ଆଲୋଚନା ଏପରି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ନୂଆଦିଲ୍ଲୀ ଆମେରିକାର ପ୍ରତିବନ୍ଧକ ମଧ୍ୟରେ ଚୀନ, ରୁଷ ଏବଂ ବ୍ରାଜିଲ ଆଡକୁ ରଣନୀତିକ ଭାବରେ ଢଳୁଛି।
ଆମେରିକା ସହିତ ଆଲୋଚନା ବିଫଳ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଦିମିର ପୁଟିନଙ୍କ ସହିତ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଶା କରାଯାଉଛି ଯେ ସେ ମାସ ଶେଷରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିବେ। ବାର୍ତ୍ତାଟି ସ୍ପଷ୍ଟ ଯେ ଭାରତ ଆଉ ସମ୍ପୂର୍ଣ୍ଣ ଭାବରେ ଆମେରିକା ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ।
୨୦୨୪ରେ ଭାରତ ଏବଂ EAEU ମଧ୍ୟରେ ବାଣିଜ୍ୟ ୬୯ ବିଲିୟନ ଡଲାର ଥିଲା, ଯାହା ୨୦୨୩ ତୁଳନାରେ ୭ ପ୍ରତିଶତ ଅଧିକ। ଏହି ୬.୫ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଏକ FTA ହେବା ଭାରତୀୟ ରପ୍ତାନିକାରୀଙ୍କୁ ନୂତନ ବଜାର ଯୋଗାଇ ପାରିବ। ଏହା ବିଶେଷକରି ବୟନ ଶିଳ୍ପ ଏବଂ ଔଷଧ କ୍ଷେତ୍ରକୁ ଲାଭଦାୟକ ହେବ।
ତଥାପି, ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟ କମ ନୁହେଁ। ରୁଷିଆରୁ ଭାରତର ଆମଦାନୀ ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ରପ୍ତାନି ତୁଳନାତ୍ମକ ଭାବରେ କମ ରହିଛି। ୨୦୧୯ ମସିହାରେ ରୁଷକୁ ଭାରତର ରପ୍ତାନି ୨.୩୯ ବିଲିୟନ ଡଲାର ଥିଲା ବେଳେ, ୨୦୨୫ ମସିହାରେ ଏହା ମାତ୍ର ୪.୮୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସେହି ସମୟରେ, ତେଲ ଉପରେ ର୍ନିଭରଶୀଳତା ଯୋଗୁଁ ରୁଷରୁ ଭାରତର ଆମଦାନୀ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହା ୩୫-୪୦ ପ୍ରତିଶତରେ ପହଞ୍ଚିଛି। ଫଳସୱରୂପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୬୦ ବିଲିୟନ ଡଲାରରୁ ଅଧିକ।