ଟ୍ରମ୍ପଙ୍କ ଟାରିଫ ଟେନଶନ ଭିତରେ ଚାଇନା କଲା ବଡ଼ ଘୋଷଣା, ଭାରତ ସହ ଜୋରଦାର ହେବ…

ନୂଆଦିଲ୍ଲୀ, ୧୫।୮: ଚାଇନା ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ଓ ଚୀନ ଦୁଇଟି ପ୍ରମୁଖ ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଉଭୟ ଦେଶ ପରସ୍ପରର ସଫଳତାରେ ସହଯୋଗୀ ହେବା। ଏହି ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ପଣ୍ୟ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ଧମକ ପରେ ଆସିଛି।

ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ କହିଛନ୍ତି, ଚାଇନା ଓ ଭାରତ ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଭାରତ ସହ କାମ କରିବାକୁ ପ୍ରସ୍ତୁତ। ଆମେ ରାଜନୈତିକ ପରସ୍ପର ବିଶ୍ୱାସ ବୃଦ୍ଧି, ବିଭିନ୍ନ କ୍ଷେତ୍ରରେ ଆଦାନପ୍ରଦାନ ଓ ସହଯୋଗ ବୃଦ୍ଧି ଏବଂ ସାଙ୍ଗକୁ ସମସ୍ୟାଗୁ ସମାଧାନ କରିବାକୁ ଚାହୁଁଛୁ। ସେ ଆହୁରି କହିଛନ୍ତି ଯେ ଶାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଭଳି ବହୁପାକ୍ଷିକ ମଞ୍ଚରେ ଉଭୟ ଦେଶ ମିଳିତ ଭାବେ କାମ କରି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିପାରିବେ।

ଟ୍ରମ୍ପଙ୍କ ଟାରିଫ ଧମକ ଭାରତକୁ ବିଆରଆଇସିଏସ ଦେଶମାନଙ୍କ, ବିଶେଷକରି ଚୀନ ଆହୁରି ଅଧିକ ଘନିଷ୍ଠ କରୁଛି। ୨୦୨୦ ଗାଲୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସମ୍ପର୍କ ନିମ୍ନସ୍ତରକୁ ଖସିଥିଲା। ତେବେ ଏବେ ପରିସ୍ଥିତି ବଦଳୁଛି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ମାସରେ ଚୀନ ସହ ସିଧାସଳଖ ବିମାନ ଚଳାଚଳ ପୁନଃ ଆରମ୍ଭ କରିବାର ଘୋଷଣା କରିପାରନ୍ତି। ଏହା ସହ ମୋଦୀ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ ଗସ୍ତ କରି ରାଷ୍ଟ୍ରପତି ଶି ଜିନପିଂଙ୍କୁ ଏସ୍ସିଓ ସମ୍ମିଳନୀରେ ଭେଟିପାରନ୍ତି।

ଚୀନ୍ର ରାଷ୍ଟ୍ରଦୂତ ସୁ ଫେଇହଙ୍ଗ ଟ୍ରମ୍ପଙ୍କ ଟାରିଫ ନୀତିକୁ ଟାର୍ଗେଟ କରି କହିଛନ୍ତି, ଅନ୍ୟ ଦେଶମାନଙ୍କୁ ଦମନ କରିବା ପାଇଁ ଟାରିଫକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତ ଓ ଚୀନ ମିଳିତ ଭାବେ ବିଶ୍ୱ ମଞ୍ଚରେ ସହଯୋଗ କରିବାର ସମ୍ଭାବନା ଦେଖାଦେଇଛି।

ସୂଚନା ମୁତାବକ, ଟ୍ରମ୍ପଙ୍କ ଟାରିଫ ନୀତି ଭାରତକୁ ରୁଷିଆ ତୈଳ କିଣା ବନ୍ଦ କରିବାକୁ ଚାପ ପକାଉଛି। ଏହା ଭାରତ-ଆମେରିକା ସମ୍ପର୍କକୁ ଜଟିଳ କରୁଛି। ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ।

Share