ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ସହିତ ସମାଧାନର ବାଟ ବାହାରିବ ଏବଂ ଉଭୟ ରାଷ୍ଟ୍ର ଯୁଦ୍ଧରୁ ବିରତ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି ସମ୍ଭାବନା କ୍ଷୀଣ ହୋଇପଡ଼ିଛି। କାରଣ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଇରାନ ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ନେଇ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରି ନ ଥିବାବେଳେ ଏବେ ଆମେରିକା ଯୁଦ୍ଧ ପାଇଁ ପ୍ରସ୍ତୁତି ନେଇଥିବା ସ୍ପଷ୍ଟ ହୋଇଛି। ଏପରିକି ଲମ୍ୱା ସମୟ ଧରି ଯୁଦ୍ଧ କରିବାକୁ ଆମେରିକା ସେନା ପ୍ରସ୍ତୁତି ନେଇସାରିଛି ବୋଲି ପେଣ୍ଟାଗନ୍‌ର କିଛି ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ପୂର୍ୱରୁ ଆମେରିକାର ଶକ୍ତିଶାଳୀ ଯୁଦ୍ଧପୋତ ଆବ୍ରାହମ୍‌ ଲିଙ୍କନ ସମେତ ଅନ୍ୟ ବହୁ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ଇରାନ ଉପକୂଳ ନିକଟରେ ଆରବସାଗରରେ ଡେରା ପକାଇଥିଲା। ଶୁକ୍ରବାର ଆମେରିକା ଅଧିକ ସଂଖ୍ୟାରେ ଯୁଦ୍ଧପୋତ, ଲଢୁଆ ବିମାନ, ଗାଇଡେଡ୍‌ ମିଶାଇଲ୍‌ ଡେଷ୍ଟ୍ରୟର ସମେତ ହଜାରରୁ ଅଧିକ ସୈନ୍ୟ ଇରାନ ଅଭିମୁଖେ ପ୍ରେରଣ କରିଛି। ଏବେ ଆବ୍ରହମ୍‌ ଲିଙ୍କନ ସହିତ ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧପୋତ ୟୁଏସ୍‌ଏସ୍‌ ଗେରାଲ୍ଡ ଆର୍‌.ଫୋର୍ଡ ସାମିଲ ହେବାକୁ ଯାଉଛି। ଇରାନ ସହ ବୁଝାମଣା କରିବା କଷ୍ଟକର ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେନାକୁ ସାମ୍ୱାଧିତକରି କହିବା ସହିତ ପୂର୍ୱ ଆକ୍ରମଣ ତୁଳନାରେ ଏଥର ଆକ୍ରମଣ ଭୟାନକ ହେବ ବୋଲି ଇସାରା କରିଛନ୍ତି। ଟ୍ରମ୍ପ୍‌ଙ୍କ ଟାର୍ଗେଟରେ ରହିଛନ୍ତି ଇରାନର ସର୍ୱୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଖାମ୍‌ନେଇ। ଭେନେଜୁଆଲାର ତତ୍‌କାଳୀନ ରାଷ୍ଟ୍ରପତି ମାଦୁରୋଙ୍କ ଭଳି ଟ୍ରମ୍ପ୍‌ ଖାମ୍‌ନେଇଙ୍କୁ ହଟାଇବାକୁ ଏକପ୍ରକାର ପଣ କରିଛନ୍ତି। ଏଥିପାଇଁ ଆମେରିକା ସେନା ଇରାନ ବିପକ୍ଷରେ ଏଆଇ ଆଧାରିତ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଫଳରେ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ସ୍ଥିତି ବିଗିଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇରାନ ନିଜର ଆଣବିକ କାର୍ଯ୍ୟକ୍ରମ ସୂଚୀରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ପରୋକ୍ଷ ଇଙ୍ଗିତ କରିବା ପରେ ଆମେରିକା ଯୁଦ୍ଧ ପାଇଁ ନିଷ୍ପତ୍ତି ନେଇଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି।