ୱାଶିଂଟନ,୨୬।୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ୱାଶିଂଟନରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କୁ ଭେଟିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି ଏକ ବିବୃତ୍ତିରେ ରୁବିଓ କହିଛନ୍ତି , ସେ ଆତଙ୍କବାଦ ବିରୋଧରେ ସହଭାଗୀତା ଏବଂ ଆଞ୍ଚଳିକ ସ୍ଥିରତା ବଜାୟ ରଖିବାରେ ଇସାକ ଡାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଦୁଇ ନେତା ପାରସ୍ପରିକ ବାଣିଜ୍ୟ ବୃଦ୍ଧି ଏବଂ ଖଣିଜ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି।
ଏହି ବୈଠକ ଏପରି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ଆମେରିକା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଏବଂ ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ (SDGT) ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। TRF କୁ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଫ୍ରଣ୍ଟ ସଂଗଠନ ଭାବରେ ବିବେଚନା କରାଯାଏ। ଉଲ୍ଲେଖନୀୟ ଯେ, ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ TRF ଦାୟୀ ଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ନାଗରିକ ପ୍ରାଣ ହରାଇଥିଲେ।
ପାକିସ୍ତାନ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା ଯେ, ଇସାକ ଡାରଙ୍କ ଆମେରିକା ଗସ୍ତ ସମୟରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରାଯିବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ପାଇଁ ଆମେରିକା ଦୀର୍ଘ ସମୟ ଧରି ଶ୍ରେୟ ନେଇଆସିଛି, ଯାହାକୁ ଭାରତ ଅନେକ ଥର ପ୍ରତ୍ୟାଖ୍ୟାନ କରିଛି, କିନ୍ତୁ ପାକିସ୍ତାନ ସ୍ବୀକାର କରିଛି। ଶଫକତ ଅଲି ଖାନ କହିଛନ୍ତି, ଆମେ ଆମେରିକାର ଭୂମିକା ପାଇଁ କୃତଜ୍ଞ, ଯାହା ଉତ୍ତେଜନା ହ୍ରାସ କରିଥିଲା ଏବଂ ଯୁଦ୍ଧବିରତିକୁ ସମ୍ଭବ କରିଥିଲା।
ଭାରତ ଲଗାତାର ପାକିସ୍ତାନକୁ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ କରିଆସୁଛି। ଭାରତ କହିଛି ଯେ, ପାକିସ୍ତାନ ସରକାର ଏବଂ ସେନା ସୀମାପାର ଆତଙ୍କବାଦରେ ଜଡିତ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ଏବଂ ନିରାପଦ ଆଶ୍ରୟସ୍ଥଳ ପ୍ରଦାନ କରୁଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରି ପ୍ରତିଶୋଧ ନେଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଥିଲେ, ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ, ଯେତେବେଳେ ପାକିସ୍ତାନ ଆତଙ୍କବାଦକୁ ପର୍ଯ୍ୟଟନ ଭାବରେ ମାନିଥାଏ, ଯାହା ବିଶ୍ୱ ପାଇଁ ବହୁତ ବିପଦପୂର୍ଣ୍ଣ।