ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର କ୍ଷେପଣାସ୍ତ୍ର ଓ ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ଲାଗି ଆସିଥିବା ବିବାଦର ସମାଧାନ ଲାଗି କୂଟନୈତିକ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଥିଲେ ମଧ୍ୟ ଟ୍ରମ୍ପ୍‌ ଏଭଳି ଯୋଜନାକୁ ନେଇ ଆଗକୁ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି। ଖାମେନେଇଙ୍କୁ ହତ୍ୟା କରିବାକୁ ପେଣ୍ଟାଗନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ଟ୍ରମ୍ପଙ୍କୁ ଦିଆଯାଇଛି। ସେ ଏହାର ତଜର୍ମା କରି ଯେକୌଣସି ନିଷ୍ପତ୍ତି ନେଇପାରନ୍ତି ବୋଲି ଆମେରିକାର ଡିଜିଟାଲ ନ୍ୟୁଜ୍‌ ସଂସ୍ଥା ଆକ୍ସିଅସ୍‌ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ଦ୍ୱିତୀୟ ବିକଳ୍ପ ଭାବେ ରାଷ୍ଟ୍ରପତି ଟ୍ରମ୍ପ ଖାମେନେଇଙ୍କୁ କ୍ଷମତାଚ୍ୟୁତ କରିବା ଯୋଜନା ମଧ୍ୟ ରଖିଛନ୍ତି। ଏହି ବିଳକ୍ପ ସବୁଠାରୁ ଭଲ ବୋଲି ସେ କହିଛନ୍ତି। ଖାମେନେଇଙ୍କୁ କ୍ଷମତାଚ୍ୟୁତ କରି କୂଟନୈତିକ ସ୍ତରରେ ଇରାନ ସହ ଆଲୋଚନା କରାଯାଇ ତାହାର ଆଣବିକ କାର୍ଯ୍ୟକ୍ରମକୁ ସୀମିତ କରାଯାଇପାରିବ ବୋଲି ଟ୍ରମ୍ପ୍‌ ଚିନ୍ତା କରୁଛନ୍ତି ବୋଲି ଆକ୍ସିଅସ୍‌ କହିଛି। ତେବେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ହ୍ବାଇଟ୍‌ ହାଉସ୍‌ ମନା କରିଦେଇଥିବା ଉକ୍ତ ସଂସ୍ଥା କହିଛି। ଉଲ୍ଲେଖଯୋଗ୍ୟ, ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ଦୁଇଥର ବୈଠକ ବସିବା ସହିତ ବ୍ୟାକ୍‌ ଚ୍ୟାନେଲ୍‌ରେ ମଧ୍ୟ ଆଲୋଚନା କରାଯାଉଛି। ଏହାସତ୍ତ୍ୱେ ଏହି ବିବାଦକୁ ନେଇ କୌଣସି ସମାଧାନର ସୂତ୍ର ବାହାରିପାରି ନାହିଁ।

Share