ଓ୍ବାଶିଂଟନ,୯।୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ‘ଅଟକାଇ ଦେଇଛି ବା ଶେଷ’ କରିଛି। ମଙ୍ଗଳବାର ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ସହ ଏକ କ୍ୟାବିନେଟ ବୈଠକରେ ରୁବିଓ କହିଛନ୍ତି, ‘ରାଷ୍ଟ୍ରପତ ମହାଶୟ, ମୁଁ ଏଠାରେ ଏକ ତାଲିକା ଏବଂ ଘରୋଇ ସ୍ତରରେ ହାସଲ ହୋଇଥିବା ଏହି ସମସ୍ତ ସଫଳତା ଦେଖୁଛି। ଆମେ ଆପଣଙ୍କ ନେତୃତ୍ୱରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ବନ୍ଦ କରି ଦେଇଛି ବା ଶେଷ କରିଛୁ।’ ରୁବିଓ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ରୱାଣ୍ଡା ମଧ୍ୟରେ ଶାନ୍ତି ଚୁକ୍ତିନାମା ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ‘୧୨ ଦିନିଆ ଯୁଦ୍ଧ ଆମେରିକୀୟ ଅପରେଶନ ସହିତ ଶେଷ ହୋଇଥିଲା । ଆମେ ବିଶ୍ୱର ଏକମାତ୍ର ଦେଶ ଯିଏ ଏହା କରିପାରିବା। ଆଶା କରୁଛି ବହୁତ ଶୀଘ୍ର ଆଜରବୈଜାନ ଏବଂ ଆର୍ମେନିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହେବ।’ ସେ କହିଛନ୍ତି, ‘ସିରିଆ ଏବଂ ଲେବାନନ ଯୋଗୁ ସମଗ୍ର ପଶ୍ଚିମ ଏସିଆ ଏବଂ ଏହାର ଭିତ୍ତିଭୂମିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହାକୁ ଏପର୍ଯ୍ୟନ୍ତ ଛଅ ମାସ ବିତିନାହିଁ। ଏହା ଆପଣଙ୍କ ନେତୃତ୍ୱର ପ୍ରମାଣ।’
ଗୋଟିଏ ଦିନ ପୂର୍ବରୁ, ଟ୍ରମ୍ପ ତାଙ୍କର ଦାବିକୁ ଦୋହରାଇଥିଲେ ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛନ୍ତି ଯାହା ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା। ଟ୍ରମ୍ପ କହିଥିଲେ ଯେ ସେ ଉଭୟ ପଡ଼ୋଶୀ ଦେଶକୁ କହିଥିଲେ ଯେ ଯଦି ସେମାନେ ଯୁଦ୍ଧ ଜାରି ରଖନ୍ତି, ତେବେ ୱାଶିଂଟନ ସେମାନଙ୍କ ସହିତ ବାଣିଜ୍ୟ କରିବ ନାହିଁ। ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି ଯେ ସେ ଏକ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷର ସମାଧାନ କରିଛନ୍ତି। ଅନ୍ୟପକ୍ଷରେ, ଭାରତ କହିଛି ଯେ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO)ଙ୍କ ସହିତ ଯୋଗାଯୋଗ କରାଯିବା ପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ବିଷୟରେ ବିଚାର କରାଯାଇଥିଲା।