America Helicopter Crash: ଘାଟିକୁ ଖସି ପାଉଁଶ ହୋଇଗଲା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୧:  ଶୁକ୍ରବାର ସକାଳେ ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପିନାଲ୍ କାଉଣ୍ଟି ସେରିଫ୍ ଅଫିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ ଫୋନିକ୍ସରୁ ପ୍ରାୟ ୧୦୩ କିଲୋମିଟର ପୂର୍ବରେ ଅବସ୍ଥିତ ଟେଲିଗ୍ରାଫ୍ କାନିୟନ୍ ନିକଟରେ ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରଟି କୁଇନ୍ କ୍ରିକ୍‌ର ପେଗାସସ୍ ଏୟାରପାର୍କରୁ ଉଡ଼ାଣ ଭରିଥିଲା।

ସେରିଫଙ୍କ କାର୍ଯ୍ୟାଳୟ ଅନୁଯାୟୀ, ହେଲିକପ୍ଟରରେ ଥିବା ସମସ୍ତ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ୫୯ ବର୍ଷୀୟ ପୁରୁଷ ପାଇଲଟ୍, ତିନି ଜଣ ଯୁବତୀ – ଦୁଇ ଜଣ ୨୧ ବର୍ଷୀୟ ଏବଂ ଜଣେ ୨୨ ବର୍ଷୀୟ – ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିଲେ।  ପ୍ରାରମ୍ଭିକ ସୂଚନା ଅନୁଯାୟୀ, ହେଲିକପ୍ଟରଟି ଏକ  Recreational Slackline (ପାହାଡ଼ ମଧ୍ୟରେ ସ୍ଥାପିତ ଏକ ପ୍ରକାରର ରଶି ଭଳି ଜାଲି) ରେ ଧକ୍କା ଦେଇଥିଲା ଏବଂ ତା’ପରେ ଘାଟିରେ ଖସି ପଡ଼ିଥିଲା। ଫେଡେରାଲ୍ ଏଭିଏସନ୍ ପ୍ରଶାସନ (FAA) ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣା ପରେ, ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳରେ ଏକ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ ଲାଗୁ କରାଯାଇଛି ।

 

Dharitri – Odisha’s No.1 Odia Daily

Share