ଭାରତକୁ ନୂଆ ଧମକ ଦେଲା ଆମେରିକା: ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ…

ଓ୍ବାଶିଂଟନ୍‌,୨୮।୮:ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍‌ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ତୀବ୍ର ହୋଇଛି। ଏହି ସମ୍ପର୍କରେ, ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ ହାସେଟ କହିଛନ୍ତି, ଯଦି ଭାରତ ରୁଷିଆ ଅଶୋଧିତ ତୈଳର ବାଣିଜ୍ୟ ବନ୍ଦ ନ କରେ, ତେବେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଦଣ୍ଡାତ୍ମକ ଟାରିଫ୍‌ରେ ନରମତା ଦେଖାଇବେ ନାହିଁ। ସେ ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ‘ଜଟିଳ’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଭାରତ ଆମେରିକୀୟ ଉତ୍ପାଦ ପାଇଁ ବଜାର ଖୋଲିବାରେ ଏକ ଜିଦ୍‌ଖୋର ମନୋଭାବ ଗ୍ରହଣ କରୁଛି।

ଆମେରିକା ଭାରତୀୟ ଉତ୍ପାଦ ଉପରେ ଟାରିଫ୍‌କୁ ୫୦%କୁ ଦ୍ୱିଗୁଣିତ କରିଛି, ଯାହା ବ୍ରାଜିଲ ପରେ ଯେକୌଣସି ଦେଶ ଉପରେ ସର୍ବାଧିକ। ଏଥିରେ ଭାରତର ରୁଷିଆ ତୈଳ କ୍ରୟ ଉପରେ ଅତିରିକ୍ତ ୨୫% ଟାରିଫ୍‌ ଅନ୍ତର୍ଭୁକ୍ତ।

ହାସେଟ ଭାରତ-ଆମେରିକା ବାଣିଜ୍ୟ ଆଲୋଚନାକୁ ଏକ ମାରାଥନ ସହିତ ତୁଳନା କରି କହିଛନ୍ତି,ଥିଲେ ଯେ ଏଥିରେ ଉତ୍‌ଥାନ-ପତନ ଆସିବ ଏବଂ ଏକ ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଏକ ଦୀର୍ଘକାଳୀନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ଅନ୍ୟପକ୍ଷରେ, ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ମଧ୍ୟ କହିଛନ୍ତି, ଭାରତ ଉପରେ ହାଇ ଟାରିଫ୍‌ କେବଳ ରୁଷିଆ ତୈଳ ଯୋଗୁ ନୁହେଁ, ବରଂ ଦୀର୍ଘ ସମୟ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ଯୋଗୁ ମଧ୍ୟ ହେଉଛି। ଆଶା କରୁଛି, ମେ-ଜୁନ ସୁଦ୍ଧା ଏକ ଚୁକ୍ତିନାମା ହୋଇଯିବ, କିନ୍ତୁ ଭାରତ ସହଯୋଗ କରୁନାହିଁ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର (ଭାରତ) ଏବଂ ସର୍ବବୃହତ ଅର୍ଥନୀତି (ଆମେରିକା) ଶେଷରେ ଏକାଠି ହେବେ।

Share