ୱାଶିଂଟନ,୨୧।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ନିଆଯାଉଥିବା ଫିସକୁ ୧,୫୦୦ ଡଲାର (ପ୍ରାୟ ୬ ଲକ୍ଷ ଟଙ୍କା)ରୁ ବଢ଼ାଇ ୧୦୦,୦୦୦ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିଛନ୍ତି। ଏହି ନୂତନ ଫିସ ୨୧ ସେପ୍ଟେମ୍ବର, ଅର୍ଥାତ ଆଜିଠାରୁ ଲାଗୁ ହେବାକୁ ଯାଉଛି। ଟ୍ରମ୍ପ ପ୍ରଶାସନର ଏହି ନିର୍ଦ୍ଦେଶ ପରେ H-1B ଭିସା ଧାରକମାନେ ଏବଂ ଆବେଦନକାରୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଯେମିତିକି ଏହି ନୂତନ ଦର କାହାଙ୍କ ଉପରେ ଲାଗୁ ହେବ ଏବଂ କାହାଙ୍କୁ ଛାଡ଼ ମିଳିବ।
ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପରୁ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଭାରତୀୟମାନଙ୍କର, କାରଣ H-1B ଭିସା ପାଇଁ ୭୦% ଭାରତୀୟ ପ୍ରଫେସନାଲ ମାନେ ଆବେଦନ କରିଥାନ୍ତି। ଟ୍ରମ୍ପ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ ଜାରି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।
କାହାଙ୍କୁ ନୂତନ ଫିସ ଦେବାକୁ ପଡ଼ିବ ନାହିଁ?
ହ୍ବାଇଟ ହାଉସର ପ୍ରେସ ସଚିବ କାରୋଲାଇନ ଲିଭିଟ୍ କହିଛନ୍ତି ଯେ, ୧୦୦,୦୦୦ ଡଲାର ଶୁଳ୍କ କେବଳ ନୂତନ ଭିସା ଧାରକମାନଙ୍କ ପାଇଁ। ବର୍ତ୍ତମାନର ଭିସା ହୋଲ୍ଡରମାନଙ୍କୁ ଏହା ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ଭାରତରୁ ତୁରନ୍ତ ଅମେରିକା ଯାଉଛନ୍ତି, ସେମାନଙ୍କୁ ରବିବାର (୨୧ ସେପ୍ଟେମ୍ବର) ପୂର୍ବରୁ ସେଠାରେ ପହଞ୍ଚିବା କିମ୍ବା ୧୦୦,୦୦୦ ଡଲାର ଫିସ ଦେବାର ଆବଶ୍ୟକତା ନାହିଁ।
ଏହା ସହିତ, ଯଦି କୌଣସି କମ୍ପାନୀ କିମ୍ବା ତାଙ୍କର କର୍ମଚାରୀ ଅମେରିକାର ଜାତୀୟ ସୁରକ୍ଷା, ଅର୍ଥନୈତିକ ସ୍ବାର୍ଥ କିମ୍ବା ସାର୍ବଜନିକ କଲ୍ୟାଣ ସହ ଜଡ଼ିତ, ତେବେ ଗୃହ ସୁରକ୍ଷା ସଚିବ ସେମାନଙ୍କୁ ଫିସରୁ ଛୁଟ ଦେଇପାରିବେ।
କାହାଙ୍କୁ ନୂତନ ଫିସ ଦେବାକୁ ପଡ଼ିବ?
ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି କମ୍ପାନୀ ଅମେରିକା ବାହାରୁ କୌଣସି କର୍ମଚାରୀକୁ H-1B ଭିଜାରେ ଆଣିବାକୁ ଚାହୁଁଛି, ତେବେ ସେମାନଙ୍କୁ ପ୍ରଥମେ ୮୮ ଲକ୍ଷ ଟଙ୍କାର ମୋଟା ଅଙ୍କର ଶୁଳ୍କ ଦେବାକୁ ପଡ଼ିବ। ଏହି ନିୟମ ଭିସା ଧାରକମାନଙ୍କ ପାଇଁ ନୁହେଁ, ବରଂ ସେମାନଙ୍କୁ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକ ପାଇଁ।
H-1B ଭିଜା ମାଧ୍ୟମରେ ଅମେରିକା ଯାଉଥିବା କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୭୦% ଭାରତୀୟ। ତଥାପି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, କମ୍ପାନୀଗୁଡ଼ିକର ବାହାରୁ ଆଣିଥିବା କର୍ମଚାରୀଙ୍କ ଖର୍ଚ୍ଚ ବଢ଼ିଯିବା ପରେ ସେମାନେ ଭାରତ ଭଳି ଦେଶରୁ ନିଯୁକ୍ତି କମାଇବେ ଏବଂ ଅମେରିକୀୟ କର୍ମଚାରୀଙ୍କୁ ପ୍ରାଥମିକତା ଦେବେ। ଫଳରେ ଭାରତରେ ବେକାରୀ ହାର ବଢ଼ିପାରେ।
H-1B ଭିସା କାହାଙ୍କୁ ଦିଆଯାଏ?
H-1B ଭିସା ଏକ ପ୍ରକାରର କର୍ମଚାରୀ ଭିସା। ଏହା ଅମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ ପ୍ରଫେସନାଲ୍ମାନଙ୍କୁ (ଯେମିତି ବୈଜ୍ଞାନିକ, ଇଞ୍ଜିନିୟର, କମ୍ପ୍ୟୁଟର୍ ପ୍ରୋଗ୍ରାମର) କାମ ପାଇଁ ରଖିବାର ଅନୁମତି ଦେଇଥାଏ। ଏହାର ଅବଧି ୩ ବର୍ଷର, ଯାହାକୁ ୬ ବର୍ଷ ପର୍ଯ୍ୟନ୍ତ ବାଇପାରାଯାଏ।
ଟ୍ରମ୍ପ ପ୍ରଶାସନ କାହିଁକି ଶୁଳ୍କ ବଢ଼ାଇଛନ୍ତି?
ଡୋନାଲ୍ଡ ଟ୍ରମ୍ପ ର୍ନିବାଚନ ପ୍ରଚାର ସମୟରୁ ଅମେରିକା ଫାର୍ଷ୍ଟ ନୀତି ଉପରେ କାମ କରୁଥିବା। ଟ୍ରମ୍ପଙ୍କ କଥା ଅନୁଯାୟୀ, H-1B ଭିଜାର ଉଦ୍ଦେଶ୍ୟ ଅମେରିକାରେ ହାଇ-ସ୍କିଲ କର୍ମଚାରୀଙ୍କୁ ଆଣିବା ଥିଲା, କିନ୍ତୁ ଏହାର ଦୁର୍ବ୍ୟବହାର ହୋଇଛି।
କମ୍ପାନୀଗୁଡ଼ିକ H-1B ଭିଜା ବ୍ୟବହାର କରି କମ ଦରମାରେ ବିଦେଶୀ ପ୍ରଫେସନାଲ୍ମାନଙ୍କୁ ଆଣି ଅମେରିକୀୟ ନାଗରିକମାନଙ୍କର ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଟ୍ରମ୍ପଙ୍କ ମତରେ, ନୂତନ ନିୟମଗୁଡ଼ିକରୁ ଅମେରିକୀୟ ଲୋକମାନଙ୍କର ନିଯୁକ୍ତି ବିପଦରେ ପଡ଼ିବ ନାହିଁ ଏବଂ କେବଳ ହାଇ-ସ୍କିଲ୍ଡ ପ୍ରଫେସନାଲମାନଙ୍କୁ ଅମେରିକା ଆସିବାର ସୁଯୋଗ ଦେବ।