୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ ପ୍ରାୟ ୧୬,୦୦୦ କର୍ମଚାରୀଙ୍କୁ ବାହାର କରିପାରେ। ଏହି ପଦକ୍ଷେପ ଦ୍ୱାରା ଭାରତୀୟ ଟିମ୍ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏହା କମ୍ପାନୀର ୨୦୨୬ ମଧ୍ୟଭାଗ ସୁଦ୍ଧା ୩୦,୦୦୦ କର୍ପୋରେଟ୍ ପଦବୀ ହ୍ରାସ କରିବା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ। ପୂର୍ବରୁ ଅକ୍ଟୋବର ୨୦୨୫ରେ ପ୍ରାୟ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଏଥର ଛଟେଇର ପ୍ରଭାବ ଭାରତରେ ଅଧିକ ରହିବ। ବିଶେଷ କରି ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ଭଳି ସହରରେ ଥିବା କର୍ପୋରେଟ୍ ଅଫିସ୍‌ର କର୍ମଚାରୀମାନେ ଅଧିକ ବିପଦରେ ରହିଛନ୍ତି।

ଏହି ଛଟେଇ ମୁଖ୍ୟତଃ ଆମାଜନ ୱେବ୍ ସର୍ଭିସେସ୍ (AWS), ପ୍ରାଇମ୍ ଭିଡିଓ, ରିଟେଲ୍ ଅପରେସନ୍ ଏବଂ HR (PXT) ବିଭାଗରେ ହେବ। ଆମାଜନ ସିଇଓ ଆଣ୍ଡି ଜାସିଙ୍କ ଅନୁଯାୟୀ, ଏହା କୌଣସି ଆର୍ଥିକ ସଙ୍କଟ କିମ୍ବା AI ଯୋଗୁଁ ନୁହେଁ, ବରଂ କମ୍ପାନୀ ମଧ୍ୟରେ ଥିବା ‘ଅତ୍ୟଧିକ ବ୍ୟୁରୋକ୍ରାସି ପ୍ରଥା’ ଏବଂ ମ୍ୟାନେଜମେଣ୍ଟର ବହୁବିଧ ସ୍ତରକୁ ହ୍ରାସ କରି କାମରେ ସ୍ୱଚ୍ଛତା ଓ ଦ୍ରୁତତା ଆଣିବା ପାଇଁ କରାଯାଉଛି।

‘ବ୍ଲାଇଣ୍ଡ’ ଏବଂ ‘ରେଡିଟ୍’ ଭଳି ପ୍ଲାଟଫର୍ମରେ କର୍ମଚାରୀମାନେ ନିଜର ଆଶଙ୍କା ପ୍ରକାଶ କରୁଛନ୍ତି। କୁହାଯାଉଛି ଯେ ଯେଉଁମାନେ ପର୍ଫୋମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ୍ (PIP) ରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ସୂଚନା ଦିଆଯାଇପାରେ। ଆମେରିକାର କେତେକ ସ୍ଥାନରେ କମ୍ପାନୀ ପକ୍ଷରୁ ଆଗୁଆ ନୋଟିସ୍ ମଧ୍ୟ ଦିଆଯାଇ ସାରିଲାଣି।