ଭୁବନେଶ୍ୱର,୨୬।୧: ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍ର ତୃତୀୟ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲରେ HIL GC କୁ ପରାସ୍ତ କରିଛି। ଏହି ବିଜୟ ସହ ହାଇଦ୍ରାବାଦ ୨୦୨୫-୨୬ ସିଜିନରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଛି।
ମ୍ୟାଚର ମୁଖ୍ୟ ଆକର୍ଷଣ ସାଜିଥିଲେ ଡ୍ରାଗ୍-ଫ୍ଲିକର ଅମନଦୀପ ଲାକ୍ରା। ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅମନଦୀପ ୩୦ ଏବଂ ୫୩ ମିନିଟରେ ଏହି ଗୋଲ ଦେଇଥିଲେ।
ପ୍ରଥମ କ୍ୱାର୍ଟରରେ HIL GC ର ସାମ ଓ୍ୱାର୍ଡ ୧୪ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ୨୪ ମିନିଟରେ ନୀଳକାନ୍ତ ଶର୍ମା ଏକ ଶକ୍ତିଶାଳୀ ଶଟ୍ ମାଧ୍ୟମରେ ସ୍ଥିତି ସମାନ କରିଥିଲେ। ହାଫ୍-ଟାଇମ୍ ପୂର୍ବରୁ ଅମନଦୀପ ଲାକ୍ରା ଦଳକୁ ୨-୧ରେ ଆଗୁଆ କରିଥିଲେ।
୩୩ ମିନିଟରେ ଜାକବ ଆଣ୍ଡରସନ ଏକ ଚମତ୍କାର ଗୋଲ ଦେଇ ସ୍କୋରକୁ ୩-୧ କରିଥିଲେ। ୫୨ ମିନିଟରେ HIL GC ପକ୍ଷରୁ ସାମ ଓ୍ୱାର୍ଡ ପୁଣି ଏକ ଗୋଲ ଦେଇଥିଲେ ମଧ୍ୟ ପରବର୍ତ୍ତୀ ମିନିଟରେ ଅମନଦୀପ ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ହାଇଦ୍ରାବାଦର ସ୍ଥିତି ମଜବୁତ କରିଥିଲେ।
ମ୍ୟାଚର ୫୫ ମିନିଟରେ କେନ୍ ରସେଲ୍ HIL GC ପାଇଁ ତୃତୀୟ ଗୋଲ ଦେଇଥିଲେ, ଯାହାଫଳରେ ମ୍ୟାଚ୍ଟି ଶେଷ ସମୟରେ ଅତ୍ୟନ୍ତ ରୋମାଞ୍ଚକର ହୋଇପଡ଼ିଥିଲା। ତଥାପି, ହାଇଦ୍ରାବାଦର ରକ୍ଷଣପନ୍ଥୀ ଖେଳାଳିମାନେ ଧୈର୍ଯ୍ୟର ସହ ଖେଳି ବିଜୟ ସୁନିଶ୍ଚିତ କରିଥିଲେ।