ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଘରେ ରାମ ଚରଣ ପହଞ୍ଚି…

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଜିନେତାଙ୍କ ଜେଜେମା’ ଅଲ୍ଲୁ କନକରତ୍ନମ ଗରୁଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଶନିବାର ମଧ୍ୟରାତ୍ରି ୧:୪୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ରିପୋର୍ଟ ଅନୁସାରେ, ସେ ଦୀର୍ଘ ଦିନ ଧରି ବୟସଜନିତ ରୋଗରେ ପୀଡ଼ିତ ଥିଲେ। ଜେଜେମା’ଙ୍କ ନିଧନରେ ଅଲ୍ଲୁ ଅର୍ଜୁନ ଏବଂ ଚିରଞ୍ଜୀବୀଙ୍କ ପରିବାର ଗଭୀର ଶୋକରେ ବୁଡ଼ି ରହିଛନ୍ତି।

ମୃତ୍ୟୁ ପରେ ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ଙ୍କ ପାର୍ଥିବ ଶରୀରକୁ ଅଲ୍ଲୁ ଅରବିନ୍ଦଙ୍କ ଘରେ ରଖାଯାଇଥିଲା, ଯେଉଁଠାରେ ପରିବାର ସହ ସମ୍ପର୍କୀୟମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ଅଲ୍ଲୁ କନକରତ୍ନମଙ୍କ ନିଧନ ଯୋଗୁ ରାମ ଚରଣ ମଧ୍ୟ ତାଙ୍କ ଶୁଟିଂ ଅଧାରୁ ଛାଡ଼ି ଅଲ୍ଲୁ ଅରବିନ୍ଦଙ୍କ ଘରେ ପହଞ୍ଚିଥିଲେ। ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ଙ୍କ ନିଧନ ଖବରକୁ ନେଇ ଟଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି ହୋଇଛି। ଏହି ଦୁଃଖଦ ମୁହୂର୍ତ୍ତରେ ପରିବାର ସହ ରହିବା ପାଇଁ ଅଲ୍ଲୁ ଅର୍ଜୁନ ଏବଂ ରାମ ଚରଣ ସେମାନଙ୍କ ଶୁଟିଂ ଅଧାରୁ ବନ୍ଦ କରି ହାଇଦ୍ରାବାଦ ଫେରିଛନ୍ତି।

ଅଲ୍ଲୁ ଅର୍ଜୁନ ମୁମ୍ବାଇରେ ଏଟଲୀଙ୍କ ଫିଲ୍ମର ଶୁଟିଂ କରୁଥିବା ବେଳେ ରାମ ଚରଣ ମୈସୁରରେ ଶୁଟିଂରେ ବ୍ୟସ୍ତ ଥିଲେ। ଏକ ଭିଡିଓରେ ଅଲ୍ଲୁ ଅର୍ଜୁନ ଶୋକାକୁଳ ଅବସ୍ଥାରେ ଦେଖାଯାଇଛନ୍ତି, ଯେଉଁଥିରେ ଚିରଞ୍ଜୀବୀ ମଧ୍ୟ ନଜର ଆସିଛନ୍ତି। ଅନ୍ୟପକ୍ଷରେ, ଅଲ୍ଲୁ କନକରତ୍ନମଙ୍କ ଅନ୍ତିମ ଦର୍ଶନ ପାଇଁ ରାମ ଚରଣ ଅଲ୍ଲୁ ଅରବିନ୍ଦଙ୍କ ଘରେ ପହଞ୍ଚି ଅଲ୍ଲୁ ଅର୍ଜୁନଙ୍କୁ ଆଲିଙ୍ଗନ କରିଥିଲେ। ଚିରଞ୍ଜୀବୀ ଏକ ଟୁଇଟ୍‌ରେ ଲେଖିଛନ୍ତି, “ଆମ ଶାଶୁମା, ଶ୍ରୀ ଅଲ୍ଲୁ ରାମାଲିଙ୍ଗୟ୍ୟାଙ୍କ ପତ୍ନୀ କନକରତ୍ନମ ଗରୁଙ୍କ ନିଧନ ହୃଦୟ ବିଦାରକ। ସେ ପରିବାର ପାଇଁ ଦେଖାଇଥିବା ପ୍ରେମ, ସାହସ ଓ ମୂଲ୍ୟବୋଧ ସବୁଦିନ ପାଇଁ ଆମ ପାଇଁ ପ୍ରେରଣା ହେବ। ମୁଁ ପ୍ରାର୍ଥନା କରୁଛି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।”