ନୂଆଦିଲ୍ଲୀ,୨୭ା୭: ଭାରତୀୟ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆଇନଗତ ଅଡ଼ୁଆରେ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳର ଅଂଶ ଥିବା ନୀତୀଶ ତୃତୀୟ ମ୍ୟାଚ୍ ପରେ ଇଞ୍ଜୁରୀ କାରଣରୁ ବଳକା ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ। ସେ ଭାରତ ଫେରିବା ପରେ ତାଙ୍କ ବିରୋଧରେ ତାଙ୍କର ପୂର୍ବତନ ଏଜେଣ୍ଟ ଏକ ମକଦ୍ଦମା କରିଛନ୍ତି, ଯେଉଁଥିରେ ତାଙ୍କ ଏଜେଣ୍ଟ ଦରମା ବାବଦକୁ ବକେୟା ଥିବା ୫ କୋଟି ଟଙ୍କା ପୈଠ କରିବାକୁ ଦାବି କରିଛନ୍ତି। ପୂର୍ବରୁ ରେଡ୍ଡୀଙ୍କୁ ମ୍ୟାନେଜ କରୁଥିବା ସ୍କୋୟାର ଦି ଓ୍ବାନ ଏଜେନ୍ସି ବକେୟା ଟଙ୍କା ଲାଗି କୋର୍ଟର ଦ୍ୱାରସ୍ଥ ହୋଇଛି।
ଏକ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, ରେଡ୍ଡୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ବେଳେ ନୂଆ ମ୍ୟାନେଜର ବାଛିଥିଲେ। ଏଥିଯୋଗୁ ସ୍କୋୟାର ଦି ଓ୍ବାନ ସହ ତାଙ୍କର ୪ ବର୍ଷର ସମ୍ପର୍କ ଶେଷ ହୋଇଥିଲା। ତେବେ ସେ ଟଙ୍କା ପରିଶୋଧ କରି ନ ଥିବା ଏଜେନ୍ସି ପକ୍ଷରୁ ଅଭିଯୋଗ କରାଯାଇଛି।