ଭତ୍ତା ଟଙ୍କା ଲୁଟ୍‌: ଧରାପଡ଼ିଲେ ଗ୍ୟାଙ୍ଗର ୬ ଯୁବକ

କଣ୍ଟାବାଞ୍ଜି,୨୪।୧୦: ଭତ୍ତା ଟଙ୍କା ଲୁଟ ଘଟଣାରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୋଲିସ ଲୁଟେରା ଗ୍ୟାଙ୍ଗର ୬ଜଣଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଏପରି କି ଘଟଣାରେ ସମ୍ପୃକ୍ତ ଆଉ ୨ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଗତ ୨୨ ତାରିଖରେ ମୁରିବାହାଲ ଟୁପାଉଡ଼ାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତାଙ୍କ ୨ ସହଯୋଗୀ ଟିଟିଲାଗଡ଼ ବ୍ୟାଙ୍କରୁ ୯ ଲକ୍ଷ ୭୫ ହଜାର ଭତ୍ତା ଟଙ୍କା ଉଠାଇ ଆସୁଥିଲେ।

ସେତିକିବେଳେ ଦୁବୃର୍ତ୍ତମାନେ ସେମାନଙ୍କ ଅଟକାଇ ଆକ୍ରମଣ କରିଥିଲେ। ପରେ ସେମାନେ ଧରିଥିବା ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ପରେ ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଧରିବାରେ ସଫଳ ହୋଇଛି।