୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ହତ୍ୟା ଉଦ୍ୟମ କରିବା ନେଇ ନିର୍ଯ୍ୟାତନାର ଶିକାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଖରିଡା ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, କବିସୂର୍ଯ୍ୟନଗର ଥାନା ଚାଙ୍ଗୁଡିଆପଦର ନୂଆଁଗାଁର ହାଡୁ ମହାରଣାଙ୍କ ଝିଅ ମିନାକ୍ଷୀ ମହାରଣାଙ୍କ ସହ ହିଞ୍ଜିଳି ଥାନା ଖରିଡା ଗ୍ରାମର ଭଗବାନ ମହାରଣାଙ୍କ ପୁଅ ସନ୍ତୋଷ ମହାରଣାଙ୍କ ସହ ୨୦୨୦ ମସିହା ଏପ୍ରିଲ ୧୭ ତାରିଖରେ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୧ଲକ୍ଷ ଟଙ୍କା ସହ ୭ ଭରି ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ୬ ମାସ ପରେ ଶ୍ୱଶୁର ଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ମିନାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣଙ୍କ ଭାଇ ପାଖକୁ ଚାଲି ଯାଇଥିଲେ। ମହିଳାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ଶ୍ୱଶୁର ଘର ଲୋକେ ବୁଝାସୁଝା କରି ବୋହୂଙ୍କୁ ଘରକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ବାପା ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଶ୍ୱଶଉର ଘର ଲୋକେ ମହିଳାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ଯୌତୁକ ବାବଦକୁ ୫୦ ହଜାର ଟଙ୍କା ଆଣିଲେ ଘରକୁ ଆସିବୁ ବୋଲି ରୋକ ଠୋକ କହିଥିଲେ। ଅଧିକ ଯୈାତୁକ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ସ୍ବାମୀ ସମେତ ଶାଶୁ, ଶଶୁର ଓ ୨ ଦିଅର ମିଶି ଟଣାଓଟରା କରିବା ସହ ମାଡ ମାରିବା ଏବଂ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମିନାକ୍ଷୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ।