ଅଣ୍ଡା ନୁହେଁ ଚିକେନ ଖାଇବୁ…ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଅନଶନ ପରେ…

ଛତ୍ରପୁର,୨୮ା୫(ଦିଲୀପ ସାମଲ): ଛତ୍ରପୁର ଉପ କାରାଗାରରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ତେଣୁ ସେମାନେ ଅନଶନ କରିବେ ବୋଲି ଏକ ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏ ନେଇ ଜେଲ ଅଧୀକ୍ଷିକା କେ. ଅବନ୍ତୀ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର କେତେଜଣ ବିଚାରାଧୀନ କଏଦୀ ଅନଶନ କରିଥିଲେ । ଏ ସମ୍ପର୍କରେ ବ୍ରହ୍ମପୁର ସର୍କଲ ଜେଲ ଅଧୀକ୍ଷକ ଧିରେନ୍ଦ୍ର ନାଥ ଜେନା ଓ ବ୍ରହ୍ମପୁର ରେଞ୍ଜ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କୁ ଅବଗତ କରାଯାଇଥିଲା। ସେମାନେ ଛତ୍ରପୁର ଉପ କାରାଗାରକୁ ଆସି ଅନଶନରତ କଏଦୀମାନଙ୍କୁ ବୁଝାଇବା ପରେ ସେମାନେ ଖାଇଥିଲେ। ବୁଧବାର ମେନ୍ୟୁରେ ଅଣ୍ଡା ଦିଆଯିବାର ଥିଲା, କିନ୍ତୁ ସେମାନେ ଚିକେନ ଖାଇବେ ବୋଲି ଅଡି ବସି ଅନଶନ କରିଥିଲେ। ଯେଉଁସବୁ ନିମ୍ନମାନର ଖାଦ୍ୟ କଏଦୀ ଅଭିଯୋଗ ଆଣିଛନ୍ତି, ତାହା ମିଥ୍ୟା ବୋଲି ଜେଲ ଅଧୀକ୍ଷିକା ସିଂ କହିଛନ୍ତି। କଏଦୀ ଜଣକ ପିଛା ଦୈନିକ ୭୯.୭୯ ଟଙ୍କା ହିସାବରେ ଟଙ୍କା ଆସୁଛି। ସେଥିରେ ମେନ୍ୟୁ ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ଛତ୍ରପୁର ଉପକାରାଗାରରେ ବର୍ତ୍ତମାନ ରହିଥିବା ୮୮ କଏଦୀଙ୍କ ମଧ୍ୟରୁ ୧୫ ଜଣ ଆଜୀବନ ଜେଲ ଭୋଗୁଥିବା ବେଳେ ୭୩ ଜଣ ବିଚାରାଧୀନ ବନ୍ଦୀ ଅଛନ୍ତି।