ଜିଲା ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତିରେ ଅନିୟମିତତା ! ସିଡିଏମଓଙ୍କୁ ମହିଳା କମିଶନ ସଦସ୍ୟଙ୍କ ତଦନ୍ତ ନିର୍ଦ୍ଦେଶ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । କେତେବେଳେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ତ ଆଉ କେବେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯନ୍ତ୍ରପାତି ଚୋରିକୁ ନେଇ ଏଠାରେ ଚର୍ଚ୍ଚା ଲାଗି ରହିଛି । ଏବେ ଜିଲା ସ୍ବାସ୍ଥ୍ୟ ବିଭାଗରେ ଏଏନଏମ, ଜେଏନଏମ, ଫାର୍ମାସିଷ୍ଟ, ଲାବୋରାଟୋରି ଟେକ୍ନିସିଆନ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଅନିୟମିତତା ନେଇ ଉପରୋକ୍ତ ପଦବୀ ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କୁ ଫେରାଦ ହୋଇଛନ୍ତି । ମହିଳା କମିଶନ ସଦସ୍ୟା ମୁକ୍ତା ସାହୁଙ୍କୁ ମଧ୍ୟ ଏ ନେଇ ସେମାନେ ଲେଖି ଜଣାଇଛନ୍ତି । ଏହି ଅନିୟମିତତାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ଏହାର ଦୃଢ଼ ପ୍ରତିବାଦ କରିବେ ବୋଲି ଆଶାୟୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ସିଡିଏମଓଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share