ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଭିନ୍ନ ପ୍ରତିକ୍ରିୟା ସନ୍ଦେହ ଘେରକୁ ଆସୁଛି। ପ୍ୟାକ୍ସ ସମ୍ପାଦକ ସୁଶୀଲ ସାହୁ ମଣ୍ଡିରୁ ଧାନ ଚୋରି ହୋଇ ନ ଥିବା କହୁଥିବା ବେଳେ ଆରଏମ୍‌ସି ସମ୍ପାଦକ ମନୋଜ ଜେନା ଚୋରି ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି। କନଝିରିଆପାଲି ପଞ୍ଚାୟତ ଅମାତପାଲି ଗ୍ରାମର ମହିଳା ଚାଷୀ ଯଶୋବନ୍ତୀ ବାଘ ଗତ ଶୁକ୍ରବାର କୋଟସମଲାଇ ପ୍ୟାକ୍ସ(ରାନିପାଲି)ରେ ୧୦୬ ପ୍ୟାକେଟରେ ପ୍ରାୟ ୮୧ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଆଣିଥିଲେ। ମାତ୍ର ଶନିବାର ସକାଳୁ ସେଥିରୁ ୧୮ ପ୍ୟାକେଟ ଧାନ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କୋଟସମଲାଇ ସେବା ସମବାୟ ସମିତି ସମ୍ପାଦକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସମବାୟ ସମିତି ସମ୍ପାଦକ ସୁଶୀଲ ସାହୁଙ୍କୁ ପଚାରିବାରୁ ମଣ୍ଡିରୁ ଧାନ ଚୋରି ହୋଇ ନ ଥିବା କହିଥିଲେ। ତେବେ ଏନେଇ ଗତ ୧୮ ତାରିଖ ଧରିତ୍ରୀରେ କୋଟସମଲାଇ ମଣ୍ଡିରୁ ୧୮ ପ୍ୟାକେଟ ଧାନ ଚୋରି ଶୀର୍ଷକ ଖବର ପ୍ରକାଶନ ପାଇଲା ପରେ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ଖୋଜାଖୋଜି ପରେ ଚୋରି ହୋଇଥିବା ଧାନ ପ୍ୟାକେଟ ମିଳିଥିଲା। କେହି ମଣ୍ଡିରୁ ଧାନ ଚୋରି କରି ନେଇଥିବା ବେଳେ ତାହା ମିଳିଛି ବୋଲି ଆରଏମ୍‌ସି ସମ୍ପାଦକ ମନୋଜ ଜେନା କହିଛନ୍ତି। ତେବେ ଦୁଇ ଅଧିକାରୀଙ୍କ ଭିନ୍ନ ମତକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ମଣ୍ଡିରେ ସିସି କ୍ୟାମେରା ଲାଗିଥିବା ବେଳେ କିଏ ଓ କିଭଳି ଧାନ ଚୋରି କଲା ଏବଂ କାହିଁକି ବିଭାଗ ତରଫରୁ ଥାନାରେ ଅଭିଯୋଗ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily