ପାଳିବନ୍ଧ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଅଭିଯୋଗ

ଗଞ୍ଜାମ, ୨୧।୪(ଡିଏନଏ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ମାସରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣଙ୍କୁ ଟଙ୍କିକିଆ ଏବଂ ମାଗଣା ଚାଉଳରେ ଅଧିକ ପ୍ଲାଷ୍ଟିକ ଚାଉଳ ଥିବା ନେଇ ବିଞ୍ଚଣାପଲି ଗ୍ରାମର ଜଣେ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉକ୍ତ ପଞ୍ଚାୟତର ପିଇଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରେ ସେ ଅଭିଯୋଗ ସମ୍ପର୍କରେ ଜିଲ୍ଲା ଉଚ୍ଚ ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି l

ପ୍ରକାଶ ଯୋଗ୍ୟ, ଏହି ଘଟଣା ନୂଆ ନୁହେଁ ପୂର୍ବରୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମରେ ମଧ୍ୟ ପ୍ଲାଷ୍ଟିକ ଯୁକ୍ତ ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଭଳି ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ଘଟଣା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ତେବେ ଏ ନେଇ ସନ୍ଦେହ ଉପୁଜୁଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ। କିଛି ମିଲର ଏବଂ ପ୍ରଶାସନର ମଧୁ ଚନ୍ଦ୍ରିକା ଯୋଗୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ବର୍ତ୍ତମାନ ଏହି ଘଟଣାର ସଠିକ ତଦନ୍ତ ହେବ ନା ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଘଟଣାକୁ ଏଡାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା l

Share